fbpx

ଦିଲ୍ଲୀରୁ ଚିହ୍ନଟ ମଙ୍କିପକ୍ସ ମାମଲାର ସେକ୍ସ ସହ କନେକ୍ସନ: ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ ଓ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ନାମକ ରୋଗ ଦେଶରେ ଏଣ୍ଟ୍ରି ମାରିଛି । କେରଳ ପରେ ରାଜଧାନୀ ଦିଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାଙ୍କୁ ଏଲଏନଜେପି ମେଡିକାଲରେ ଭର୍ତ୍ତି କରାଯାଇଛି । ଆଫ୍ରିକା ଓ ୟୁରୋପର ଅନେକ ଦେଶରେ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିବା ପରେ ଏହି ରୋଗ ଭାରତକୁ ଆସିଛି ଓ ଦେଶର ଅନେକ ସହରରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି । ସମଗ୍ର ଶରୀରରେ ଲାଲ ଦାଗ ଦେଖାଯିବା ବ୍ୟତୀତ ଏହି ରୋଗର କ’ଣ ଲକ୍ଷଣ ରହିଛି, କିପରି ବ୍ୟାପୁଛି ଓ ସେକ୍ସ ସହ ଏହାର କ’ଣ କନେକ୍ସନ ଅଛି, ଆସନ୍ତୁ ଜାଣିବା…

କିପରି ସଂକ୍ରମଣ ହୁଏ?
ମଙ୍କିପକ୍ସରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ଜଣଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ । ବିଶେଷକରି ଯଦି ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଉଠୁଥିବା ଫୋଟକା ଭଳି ଦାଗକୁ ସ୍ପର୍ଶ କଲେ ଏହା ଅଧିକ ବ୍ୟାପିଥାଏ । ମଙ୍କିପକ୍ସରେ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ବ୍ୟତୀତ ଏହି ସଂକ୍ରମଣ ତାଙ୍କ ପୋଷାକ, ତଉଲିଆ, ଶଯ୍ୟା ଇତ୍ୟାଦି ପିନ୍ଧିବା ଦ୍ୱାରା ମଧ୍ୟ ବ୍ୟାପିଥାଏ । ନିକଟରେ ବସିଥିବା ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କାରୁ କିମ୍ବା କାଶରୁ ବାହାରୁଥିବା ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ମଧ୍ୟ ଏହା ସଂକ୍ରମିତ କରିପାରେ ।

ଲକ୍ଷଣ :-
ସଂକ୍ରମିତ ହେବାର ୫ ରୁ ୨୧ ଦିନ ମଧ୍ୟରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଏ । ମଙ୍କିପକ୍ସ ସଂକ୍ରମଣ ପରେ ପ୍ରାଥମିକ ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପିଠି ଯନ୍ତ୍ରଣା, ଥଣ୍ଡା ଏବଂ ଥକାପଣ । ଏହା ପରେ ଶରୀରରେ ଦାଗ ଏବଂ ଲାଲ୍ ଦାଗ ଦେଖାଯାଏ । ଚେହେରା ବ୍ୟତୀତ ଏହା ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଦେଖାଯାଏ । ଗୁପ୍ତାଙ୍ଗରେ ଫୋଟକା ହୋଇଥାଏ । କିନ୍ତୁ ସପ୍ତାହ ମଧ୍ୟରେ ଏହି ଲକ୍ଷଣ ଭଲ ହୋଇଯାଏ ।

ମଙ୍କିପକ୍ସର ସେକ୍ସ ସହ କ’ଣ କନେକ୍ସନ?
ତେବେ ମଙ୍କିପକ୍ସ ସଂକ୍ରମଣ କାହାକୁ ବି ହୋଇପାରେ । ଅବଶ୍ୟ ଏହାର ସେକ୍ସ କନେକ୍ସନ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଯେତେ ବି ମାମଲା ଚିହ୍ନଟ ହୋଇଛି, ସେମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ଓ ସମଲିଙ୍ଗୀ ରହିଛନ୍ତି । ଅର୍ଥାତ୍ ଅନ୍ୟ ପୁରୁଷଙ୍କ ସହ ସେମାନେ ଶରୀରିକ ସମ୍ପର୍କ ରଖିଥିଲେ । ମଙ୍କିପକ୍ସ ସମ୍ବନ୍ଧୀୟ ସୂଚନା ଦେବାକୁ ଯାଇ ଡାକ୍ଟରମାନେ ଲୋକଙ୍କୁ ନିରାପଦ ଯୌନ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଛନ୍ତି । ଡାକ୍ତର ରାମ ମନୋହର କହିଛନ୍ତି ଯେ, ମଙ୍କିପକ୍ସ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ମଧ୍ୟରେ ଏକ କନେକ୍ସନ ଅଛି । ୟୁରୋପ ଏବଂ ବ୍ରିଟେନର ୬ଟି କ୍ଲଷ୍ଟରର ବିଶ୍ଳେଷଣରେ ଜର୍ଣ୍ଣାଲ ଅଫ ମେଡିକାଲ ଭାଇରୋଲୋଜିରୁ ଜଣାପଡିଛି ଯେ ଏହି ସଂକ୍ରମଣ ପ୍ରାୟତଃ ପୁରୁଷମାନଙ୍କଠାରେ ହୋଇଥାଏ ଏବଂ ଏହାର ପ୍ରଭାବ ମୁହଁ, ଗୋଡ କିମ୍ବା ହାତ ଅପେକ୍ଷା ମଳଦ୍ୱାର ଏବଂ ଅନ୍ୟ ଯୌନାଙ୍ଗରେ ଅଧିକ ଦେଖାଯାଉଛି । ଏନେଇ ଗାଇଡଲାଇନ୍ ଜାରି ହେବା ସହ କଣ୍ଡୋମ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି ।

ଅନ୍ୟପଟେ ମଙ୍କିପକ୍ସକୁ ସର୍ବଭାରତୀୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହାସହିତ ସମସ୍ତ ଦେଶକୁ ଏଥିପାଇଁ ସତର୍କ ଏବଂ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଏହା ସହିତ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ଲୋକଙ୍କ ସ୍ୱାସ୍ଥ୍ୟ, ମାନବିକ ଅଧିକାର ଏବଂ ପ୍ରଭାବିତ ସମ୍ପ୍ରଦାୟର ଲୋକମାନଙ୍କ ସମ୍ମାନର ଯଥେଷ୍ଟ ଧ୍ୟାନ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ମୋଟ ୭୫ ଦେଶରୁ ୧୬ ହଜାରରୁ ଅଧିକ ଜଣ ମଙ୍କିପକ୍ସରେ ସଂକ୍ରମଣ ହୋଇ ସାରିଛନ୍ତି । ଏହାବ୍ୟତୀତ ୫ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ମଧ୍ୟ ରେକର୍ଡ ହୋଇଛି । ତେବେ ଏହି ସଂକ୍ରମଣ ଖୁବ ଦ୍ରୁତ ବେଗରେ ବିଭିନ୍ନ ଦେଶକୁ ବ୍ୟାପୁଥିବା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Get real time updates directly on you device, subscribe now.