fbpx

ଖୁବ ଶୀଘ୍ର ଗରମରୁ ମିଳିବ ମୁକ୍ତି: କେରଳ ମୁହାଁ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ମଧ୍ୟରେ କେରଳରେ ପାଦ ଥାପି ପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଏହି ବୟାନରେ ପୁଣି ଥରେ ପାଣିପାଗ ବିଭାଗ ପରିବର୍ତ୍ତନ କରିଛି । ୨୭ ତାରିଖ ପରିବର୍ତ୍ତେ ଆସନ୍ତା ୨-୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି ।

ମିଳିଥିବା ନୂଆ ସଂକେତ ଅନୁସାରେ, ଦକ୍ଷିଣ ଆରବ ସାଗରର ନିମ୍ନସ୍ତରରେ ପଶ୍ଚିମା ପବନ ତୀବ୍ର ହୋଇଛି । କେରଳ ଉପକୂଳ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ ପାଗ ମେଘୁଆ ରହିଛି । ସ୍ୱାଭାବିକ ସମୟ ପୂର୍ବରୁ ଗତ ମେ ୧୬ ତାରିଖରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିଲା ମୌସୁମୀ । ସେପଟେ ମୌସୁମୀ କେରଳ ଅକ୍ଷାଂଶରେ ପହଞ୍ଚି ସାରିଥିବା ମତ ଦେଇଛନ୍ତି ବ୍ରିଟେନର “ୟୁନିଭର୍ସିିଟି ଅଫ ରିଡିଙ୍ଗ’ର ଗବେଷକ ଅକ୍ଷୟ ଦେବରସ । କେରଳ ଏବଂ ଲାକ୍ଷାଦ୍ୱୀପରେ ହାଲକା କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୫ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ, ପଣ୍ଡିଚେରୀ ଏବଂ କରାଇକଲରେ ହାଲକା ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

ଆସନ୍ତା ୪ ଦିନ ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ହାଲକା କିମ୍ବା ମଧ୍ୟମ ବର୍ଷାର ଅନୁମାନ କରାଯାଇଛି । ତେବେ ଆସନ୍ତା ୨-୩ ଦିନ ମଧ୍ୟରେ ଉତ୍ତରାଖଣ୍ଡ, ଉତ୍ତରୀ ପଞ୍ଜାବ, ଉତ୍ତରୀ ହରିୟାଣା, ଉତ୍ତରପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ଦୁରଦରାଜ ଅଞ୍ଚଳରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.