fbpx

ପାଣିପାଗ ସୂଚନା! ରାଜ୍ୟରେ ଆହୁରି ୪ ଦିନ ରହିବ କାଳବୈଶାଖୀ: ତଳକୁ ଖସିବ ପାରଦ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କିଛିଟା ଅଞ୍ଚଳରେ କାଳବୈଶାଖୀ ଲାଗି ରହିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାଳବୈଶାଖୀର ପ୍ରଭାବରେ ଦିନର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ଏହି ବର୍ଷା ପ୍ରଭାବରେ ଆସନ୍ତା ୫ ଦିନ ଓଡିଶାରେ ଖରା ଏବଂ ଗରମ କମ୍ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହାପରେ ପୁଣିଥରେ ବଢିବ ହିଟୱେଭ ।

ପାଣିପାଗ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ, ଆସନ୍ତା ୪-୫ ଦିନ ଓଡିଶାରେ କାଳବୈଶାଖୀ ଲାଗି ରହିବ । ଏହାର ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ଜଳବାୟୁ ଏବଂ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଡା. ଶରତ ସାହୁ । ଏହି ସମୟରେ ପବନର ବେଗ ମଧ୍ୟ ୩୦-୪୦ କି.ମି ପ୍ରତି ଘଣ୍ଟାରେ ପହଞ୍ଚିପାରେ । ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି । ସୂଚନା ଅନୁସାରେ, ସୋମବାର ଆକାଶ ମେଘାଛନ୍ନ ରହିବାରୁ ରାଜ୍ୟ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିଥିଲା । କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରାଦୀପରେ ୩୦.୮ ଡିଗ୍ରୀ ରହିଥିଲା ଦିନର ତାପମାତ୍ରା । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୨୭ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.