ଆଜିଠାରୁ ମହଙ୍ଗା ହେଲା ୧୦୦୦ ରୁ ଅଧିକ ଔଷଧ, ଲିଷ୍ଟରେ ନାହିଁ ତ’ ଆପଣଙ୍କ ମେଡିସିନ୍ ?

ନୂଆଦିଲ୍ଲୀ: ଦେଶର କୋଟି କୋଟି ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଆଜି ଅର୍ଥାତ୍ ୧ ଏପ୍ରିଲରୁ ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ । ଏହା ସହିତ ସାଧାରଣ ଲୋକଙ୍କ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଞ୍ଚୟ ହ୍ରାସ ପାଇବ ।

ଆଜିଠାରୁ ମହଙ୍ଗା ହେବାକୁ ଥିବା ମେଡିସିନରେ ଇନଫେକସନ୍, ଡାଇବେଟିସ୍ ଓ ହାର୍ଟର ମେଡିସିନ୍ ମଧ୍ୟ ସାମିଲ । ତେବେ ଭାରତରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ନିର୍ଣ୍ଣୟ କରାଯାଏ । ପୂର୍ବ ବର୍ଷର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)କୁ ଧ୍ୟାନରେ ରଖି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କିମ୍ବା ବୃଦ୍ଧି କରାଯାଏ ।

ଔଷଧର ମୂଲ୍ୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପୂର୍ବ ଅନୁମୋଦନର ଆବଶ୍ୟକତା ନାହିଁ:
ଏନପିପିଏ ଏକ ବିବୃତ୍ତିରେ କହିଛି ଯେ, “୨୦୨୩ କ୍ୟାଲେଣ୍ଡର ବର୍ଷ ତୁଳନାରେ ୨୦୨୪ ମସିହାରେ ଡବ୍ଲୁପିଆଇରେ ପରିବର୍ତ୍ତନ (+) ୧.୭୪୦୨୮% ରେକର୍ଡ କରାଯାଇଥିଲା । ଔଷଧ ନିର୍ମାତାମାନେ ଏହି ଡବ୍ଲୁପିଆଇ ଉପରେ ଆଧାରିତ ନିର୍ଦ୍ଧାରିତ ଫର୍ମୁଲେସନର ସର୍ବାଧିକ ଖୁଚୁରା ମୂଲ୍ୟ ବୃଦ୍ଧି କରିପାରିବେ ଏବଂ ଏ ସମ୍ପର୍କରେ ସରକାରଙ୍କ ପୂର୍ବ ଅନୁମୋଦନ ଆବଶ୍ୟକ ହେବ ନାହିଁ ।’

ମ୍ୟାଲେରିଆ, ଆଣ୍ଟିଭାଇରାଲ୍, ଆଣ୍ଟିବାୟୋଟିକ୍ ଔଷଧର ମୂଲ୍ୟ ବୃଦ୍ଧି ପାଇବ
ସରକାରଙ୍କ ଏହି ନିର୍ଦ୍ଦେଶ ପରେ, ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନର ମୂଲ୍ୟ ପ୍ରତି ଟାବଲେଟ୍ ପିଛା ୧୧.୮୭ ଟଙ୍କା (୨୫୦ ମିଲିଗ୍ରାମ) ଏବଂ ୨୩.୯୮ ଟଙ୍କା (୫୦୦ ମିଲିଗ୍ରାମ) ହେବ । ଆମୋକ୍ସିସିଲିନ୍ ଏବଂ କ୍ଲାଭ୍ୟୁଲାନିକ୍ ଏସିଡ୍ ଫର୍ମୁଲେସନ୍ ସହିତ ଆଣ୍ଟିବ୍ୟାକ୍ଟେରିଆଲ୍ ଡ୍ରାଏ ସିରପ୍ ର ମୂଲ୍ୟ ମିଲିଗ୍ରାମ ପିଛା ୨.୦୯ ଟଙ୍କା ହେବ । ଆସାଇକ୍ଲୋଭିର ଭଳି ଆଣ୍ଟିଭାଇରାଲ୍ର ମୂଲ୍ୟ ଟାବଲେଟର ପିଛା ୭.୭୪ ଟଙ୍କା (୨୦୦ ମିଲିଗ୍ରାମ) ଏବଂ ୧୩.୯୦ ଟଙ୍କା (୪୦୦ ମିଲିଗ୍ରାମ) ହେବ । ସେହିପରି, ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହାଇଡ୍ରୋକ୍ସାଇକ୍ଲୋରୋକ୍ୱିନର ମୂଲ୍ୟ ଟାବଲେଟ ପିଛା ୬.୪୭ ଟଙ୍କା (୨୦୦ ମିଲିଗ୍ରାମ) ଏବଂ ୧୪.୦୪ ଟଙ୍କା (୪୦୦ ମିଲିଗ୍ରାମ) ହେବ ।