fbpx

ଭାରତୀୟଙ୍କୁ ଲୁଟିବା ପାଇଁ ୧୩୦୦ରୁ ଅଧିକ ସିମ୍‌ କାର୍ଡ ଚୋରାଚାଲାଣ କରିଛନ୍ତି ଗିରଫ ଚୀନ ଯୁବକ

କୋଲ୍‌କାତା: ଭାରତ-ବାଂଲାଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍‌ର ନାଗରିକ ଜଣକ ଏକ ଆଶ୍ଚର୍ଯ୍ୟ କରିବା ପରି କଥାର ଖୁଲାସା କରିଛନ୍ତି । ତାଙ୍କୁ ଗିରଫ କରି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବା ପରେ ସେ ଜାଲ୍‌ କାଗଜପତ୍ର ଦାଖଲ କରି ୧୩୦୦ରୁ ଅଧିକ ଭାରତୀୟ ସିମ୍‌ କାର୍ଡ ଯୋଗାଡ଼ କରିଥିବା କଥା ସ୍ୱୀକାର କରିଛନ୍ତି । ତାଙ୍କ ନାମ ହାନ୍‌ ଜୁନ୍‌ୱେଇ ହୋଇଥିବା ବେଳେ ସିମ୍‌ କାର୍ଡ ଯୋଗାଡ଼ ସହ ସେଗୁଡ଼ିକୁ ସେ ତାଙ୍କର ଅନ୍ତବସ୍ତ୍ରରେ ଲୁଚାଇ ରଖୁଥିଲେ । ଆଉ ଏହିପରି ଭାବରେ ଭାରତୀୟଙ୍କ ସିମକାର୍ଡ ଚୋରାଚାଲାଣ କରି ସେମାନଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିବା ଥିଲା ତାଙ୍କ ଷଡଯନ୍ତ୍ର ବୋଲି ସେ ସ୍ୱୀକାର କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟଙ୍କ ଆକାଉଣ୍ଟ୍‌ଗୁଡ଼ିକୁ ହ୍ୟାକ୍‌ କରିବା ଏବଂ ଭାରତରେ ଅନ୍ୟାନ୍ୟ ଆର୍ଥିକ ଠକେଇ କରିବା ଲାଗି ଚୋରାଚାଲାଣ ହୋଇଥିବା ଉକ୍ତ ସିମ୍‌ କାର୍ଡଗୁଡ଼ିକୁ ପରେ ଚୀନ୍‌ରେ ବ୍ୟବହାର କରାଯାଇ ଥାଆନ୍ତା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତ ସୀମା ଭିତରକୁ ପ୍ରବେଶ କରୁଥିବା ବେଳେ ଜୁନ୍‌ୱେଇଙ୍କୁ ମାଲ୍‌ଦା ଅଞ୍ଚଳସ୍ଥିତ ଭାରତ-ବାଂଲାଦେଶ ସୀମାନ୍ତ ସୁଲ୍‌ତାନ୍‌ପୁରରୁ ଗିରଫ କରାଯାଇ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଜୁନ୍‌ୱେଇ ଜଣେ ‘ୱାଣ୍ଟେଡ୍‌ କ୍ରିମିନାଲ୍‌’ । ସେ ଏବଂ ତାଙ୍କର ସହଯୋଗୀମାନେ ଭାରତୀୟ ସିମ୍‌କାର୍ଡଗୁଡ଼ିକୁ ଅନ୍ତବସ୍ତ୍ରରେ ଲୁଚାଇ ରଖି ଚୀନ୍‌କୁ ପଠାଉଥିଲେ । ପୂର୍ବରୁ ଜୁନ୍‌ୱେଇଙ୍କ ନାମରେ ‘ବ୍ଲୁ କର୍ଣ୍ଣର୍‌ ନୋଟିସ୍‌’ (ଅନୁସନ୍ଧାନ କରି ଠାବ କରିବା) ମଧ୍ୟ ଜାରି ହୋଇଥିଲା ।

Get real time updates directly on you device, subscribe now.