ବରଯାତ୍ରୀ ଗାଡି ଓଲଟି ୨୦ ରୁ ଅଧିକ ଆହତ, ମେଡିକାଲରେ ଭର୍ତ୍ତ

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ପଡିବାରୁ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିତ୍ରକୋଣ୍ଡା ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲାକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ୟ୍ୟରେ ଯୋଗ ଦେବାକୁ ଯାଉଥିଲେ । ସେଠାରୁ ଏକ ପିକଅପରେ ୩୫ ବରଯାତ୍ରୀ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ଭ୍ୟାନଟି ଭାରସାମ୍ୟ ହରାଇ ଡଙ୍ଗରପଦର ଘାଟି ରାସ୍ତାରେ ଓଲଟି ପଡିଥିବା ସୂଚନା ମିଳିଛି ।

ଦୁର୍ଘଟଣାରେ ଆହତମାନଙ୍କୁ ପ୍ରଥମେ ଯୋଡ଼ାମ୍ବ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ୧୦ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ଅନ୍ୟ ଆହତମାନଙ୍କୁ ଯୋଡାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ବିଏସଏଫ ଯବାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଜାରି ରହିଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତର ୫ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଖବର ପାଇ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିବା ସହ ଗୁରୁତରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ପାଇଁ ଆଲୋଚନା କରିଛନ୍ତି ।