ଭିତରକନିକା ଜଙ୍ଗଲରେ କଙ୍କଡ଼ା ଧରିବାକୁ ଯାଇ ମା’ପୁଅ ୫ ଦିନ ହେଲା ନିଖୋଜ, ଖୋଜୁଛି ବନ ବିଭାଗ ହେଲେ ପାଉନି ପତ୍ତା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮)।

ଆଜି ଏ ନେଇ ଖବର ପାଇବା ପରେ ବନ ବିଭାଗ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରି ନାହିଁ। ଗତ ବୁଧବାର ସକାଳୁ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଅଞ୍ଜନା ଓ ରତୀନ୍ଦ୍ରଙ୍କ ସହ ଗାଁର ଅହଲ୍ୟା ମଣ୍ଡଳ, ତାଙ୍କ ପୁଅ ଚନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍‌ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ।

ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ଏ ସମ୍ପର୍କରେ ପୁଲିସ କିମ୍ବା ବନ ବିଭାଗକୁ ଅବଗତ କରାଯାଇ ନ ଥିଲା।

ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ। ତେବେ ଗତକାଲି ରାତିରେ ଏ ନେଇ ବନ ବିଭାଗ ଖବର ପାଇଥିଲା। ଆଜି ସକାଳେ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କ ସହ ଯାଇଥିବା ଅହଲ୍ୟା ଓ ଚନ୍ଦ୍ରଙ୍କୁ ଧରି ଜଙ୍ଗଲକୁ ଯାଇ ଦିନସାରା ଖୋଜାଖୋଜି କରିଥିଲେ।