fbpx

ରଶିରେ ନିଜ ୧୪ ବର୍ଷ ପୁଅର ତଣ୍ଟିଚିପି ହତ୍ୟା କଲା ମା’, ୩ ଦିନ ତଳେ ଖୁସିରେ ମନାଇଥିଲା ଜନ୍ମଦିନ

Advertisement

ଉଦୟପୁର: ସ୍ୱାମୀ ମର୍ଣ୍ଣିଂୱାକରେ ବାହାରିଯିବା ପରେ ଜଣେ ମହିଳା ନିଜର ୧୪ ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଳିଯୁଗର ଏହି ମା’କୁ ଗିରଫ କରି ଥାନାକୁ ନେଇଛି । ତେବେ ଏହି ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି ପୋଲିସ ଏବେ ତାହାର ଅନୁସନ୍ଧାନ କରୁଛି ।

ରାଜସ୍ଥାନ ଉଦୟପୁରରେ ରବିବାର ସକାଳେ ଏହିପରି ଏକ ହୃଦୟ ଥରାଇ ଦେବା ଭଳି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ମା’ ନିଜର ୧୪ ବର୍ଷର ପୁଅର ଗଳା ଚିପି ହତ୍ୟା କରିଛି । ଅଭିଯୁକ୍ତ ମହିଳା ଗତ ୫ ବର୍ଷ ଧରି ମାନସିକ ସ୍ତରରେ ଅସୁସ୍ଥ ଥିଲେ । ମୃତ ବାଳକର ପିତା ଦୀପକ ପାରିଖ ପୋଲିସକୁ କହିଛନ୍ତି, ହତ୍ୟା ସମୟରେ ସେ ପତ୍ନୀ ମନୀଷା ଓ ପୁଅ ପୁରଜନ୍ୟକୁ ଘରେ ଛାଡି ମର୍ଣ୍ଣିଂୱାକରେ ଯାଇଥିଲେ । ସେହି ସମୟରେ ତାଙ୍କ ପତ୍ନୀ କପଡା ଶୁଖାଯାଉଥିବା ରଶିରେ ପୁଅର ଗଳା ଚିପି ହତ୍ୟା କରିଛି । ସେ ଯେତେବେଳେ ମର୍ଣ୍ଣିୱାକରୁ ଫେରିଛନ୍ତି ସେତେବେଳେ ଘରର କବାଟ ଭିତରୁ ବନ୍ଦ ଥିଲା । ପଡୋଶୀଙ୍କ ସହାୟତାରେ ବାଲକୋନୀର କବାଟ ଭାଙ୍ଗି ଯେତେବେଳେ ସେ ଘର ଭିତରକୁ ଯାଇଥିଲେ ସେତେବେଳେ ଦେଖିଥିଲେ ମନୀଷା ଆରାମରେ ଖଟ ଉପରେ ବସିଛି ଓ ତାଙ୍କ ଠାରୁ କିଛି ଦୂରରେ ପୁଅର ଶବ ପଡିଛି । ପୁଅର ବେକରେ କିଛି ଚିହ୍ନ ଥିବାର ସେ ଦେଖିବାକୁ ପାଇଥିଲେ । ବେଡ ନିକଟରେ ଦୁଇଟି ରଶି ଖଣ୍ଡ ମଧ୍ୟ ପଡିଥିବାର ସେ ଦେଖିଥିଲେ ।

କୁହାଯାଉଛି ମନୀଷାଙ୍କର ମାନସିକ ସ୍ୱାସ୍ଥ୍ର୍ୟ ଭଲ ନ ଥିବାରୁ ୨୦୧୮ରୁ ତାଙ୍କର ଚିକିତ୍ସା ଚାଲିଛି । ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ମୃତକର ପରିଜନ କିଛି କହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ୩ ଦିନ ତଳେ ମୃତକ ପୁରଜନ୍ୟର ଜନ୍ମଦିନ ପାଳନ କରାଯାଇଥିଲା । ତେବେ ମହିଳା ଜଣକ ହତ୍ୟା କରିଥିବା ବିଷୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.