fbpx

ବର ଯୌତୁକ ମାଗିବାରୁ ଭାଙ୍ଗିଦେଲେ ବାହାଘର, ମାଉଣ୍ଟ ଏଭରେଷ୍ଟ ଉପରେ ଚଢି ଉଠାଇଲେ ବିରୋଧରେ ସ୍ୱର

Advertisement

ନୂଆଦିଲ୍ଲୀ: ଯୌତୁକ ନେବା ଓ ଦେବା ଉଭୟ ଅପରାଧ ହୋଇଥିଲେ ମଧ୍ୟ ଏବେ ବି ଏହି ଘୃଣ୍ୟ ପ୍ରଥାର ବିଲୋପ ଘଟୁନାହିଁ । ପ୍ରତି ବର୍ଷ ଏହି ପ୍ରଥା କାରଣରୁ ବହୁ ସଂଖ୍ୟାରେ ମହିଳା ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ପ୍ରଥାର ବିରୋଧ ଏବେ ଜଣେ ଯୁବତୀ ଯେଉଁପରି ଭାବରେ କରିଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ଏହି ଯୁବତୀ ହେଉଛନ୍ତି ମହାରାଷ୍ଟ୍ର ପୁଣେରେ ରହୁଥିବା ସ୍ମିତା ଧୁଗେ । ସ୍ମିତା ଜଣେ ପର୍ବତାରୋହୀ । ସେ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଉପରେ ଚଢି ଯୌତୁକ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ତେବେ ସ୍ମିତାଙ୍କ ଏହି ଯାତ୍ରା ଯୌତୁକ ବିରୁଦ୍ଧରେ ଆରମ୍ଭ ହୋଇଥିଲା । ଯେତେବେଳେ ସ୍ମିତା ଅନୁଭବ କରିଥିଲେ ଯେ, ପୁଅ ଘର ପକ୍ଷରୁ ଯୌତୁକ ମାଗିବା ବନ୍ଦ ହେଉ ନାହିଁ ସେତେବେଳେ ସେ ୭ ମହାଦ୍ୱୀପର ୭ ଉଚ୍ଚ ପର୍ବତରେ ଚଢି ଏହା ବିରୁଦ୍ଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ସ୍ମିତା ତାଙ୍କ ବିଭାଘର ବିଷୟରେ କହିଛନ୍ତି ଦୁଇ ପରିବାରର ସାକ୍ଷାତ ପରେ ତାଙ୍କୁ ପୁଅ ପକ୍ଷରୁ ଫୋନ୍ ଆସିଥିଲା । ପୁଅ କହିଥିଲା ତାଙ୍କ ଦାଦା ପୁଅ ଭାଇକୁ ଯେହେତୁ ୨୦ ଲକ୍ଷ ଟଙ୍କା ଯୌତୁକ ମିଳିଛି ତେଣୁ ସେ ୧୮ ଲକ୍ଷ ଟଙ୍କା ଯୌତୁକ ପାଇବାକୁ ଆଶା କରୁଛନ୍ତି । ଏହାପରେ ସ୍ମିତା ସେହି ଯୁବକଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ ।

ଏହାପରେ ସ୍ମିତା ସ୍ଥିର କରିଥିଲେ ଯୌତୁକରେ ଏତେ ଟଙ୍କା ଖର୍ଚ୍ଚ ନ କରି ନିଜ ଖୁସି ଲାଗି ଯାତ୍ରା ଆରମ୍ଭ କରିବେ । ସେ ପ୍ରଥମେ ଛୋଟ ଛୋଟ ପର୍ବତରେ ଚଢିବା ଆରମ୍ଭ କରିଥିଲେ । ସ୍ମିତା କହିଛନ୍ତି ଗ୍ରାଜୁଏସନ ପରେ ଘରେ ତାଙ୍କର ବିବାହ କରିଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ କିନ୍ତୁ ସେତେବେଳେ ସମସ୍ତେ କହିଥିଲେ ଝିଅ କମ୍ ପଢିଛି । ଏହାପରେ ସେ ପିଜି କରିଥିଲେ । କିନ୍ତୁ ତାଙ୍କର ଚାକିରୀ ନ ଥିବାରୁ ଭଲ ଯାଗାରେ ବାହାଘର ଭାଙ୍ଗି ଯାଉଥିଲା । ଏହାପରେ ସେ ଚାକିରୀ ଯୋଗାଡରେ ଲାଗି ପଡିଥିଲେ । କିନ୍ତୁ ଉଚ୍ଚତା କମ୍ ଥିବାରୁ ଭଲ ଚାକିରୀ ମିଳି ନ ଥିଲା । ଏହାପରେ ତାଙ୍କର ଜଣେ ଶିକ୍ଷକ ପରାମର୍ଶ ଦେଇଥିଲେ କି ତୁମେ ନିଜ ଶରୀରର ଉଚ୍ଚତାକୁ ତ ବଢାଇ ପାରିବ ନାହିଁ କିନ୍ତୁ ନିଜର ଉପଲବ୍ଧିରେ ନିଜର ବ୍ୟକ୍ତିତ୍ୱକୁ ବୃଦ୍ଧି କରିପାରିବ ।

ସ୍ମିତା ତାଙ୍କ ବିବାହ ଲାଗି ରଖାଯାଇଥିବା ଗହଣାକୁ ବିକି ଯାତ୍ରା ପଥରେ ବାହାରିଗଲେ । ପ୍ରଥମେ ରୁଷ ଓ ଆଫ୍ରିକାର ଉଚ୍ଚପାହାଡ ଉପରେ ଚଢିଥିଲେ । ଏହାର କିଛିଦିନ ପରେ ସେ ମାଉଣ୍ଟ ଏଭରେଷ୍ଟରେ ଚଢି ନିଜର ସ୍ୱପ୍ନକୁ ପୂରଣ କରିପାରିଥିଲେ ।

Get real time updates directly on you device, subscribe now.