fbpx

ବିଜେଡିକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଟ୍ରେଲର ଦେଖିଛି ରାଜ୍ୟ, ସିନେମା ଆସୁଛି….

 

ଓଡିଶା ଭାସ୍କର: ବିଜେଡିରୁ ମମତା ମହନ୍ତ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ମମତାଙ୍କ ଏହି ପଦ୍ମ ଧରିବାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ଶଙ୍ଖଧ୍ୱନି ବେଶ ଶବ୍ଦ କରୁଛି । ଚାରିଆଡେ ତାଙ୍କୁ ନେଇ କେବଳ ଚର୍ଚ୍ଚା । ବର୍ତ୍ତମାନ ମମତାଙ୍କୁ ନେଇ ସାଂସଦ ଅପରାଜିତା କହିଛନ୍ତି ଯେ, ମମତା ଦଳ ଛାଡିବା କେବଳ ଏକ ଟ୍ରେଲର ଥିଲା ଓ ଆଗକୁ ଲୋକେ ଫିଲ୍ମ ଦେଖିବାକୁ ବି ପାଇବେ ।

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଅନୁସୂଚିତ ଜନଜାତି ମୋର୍ଚ୍ଚାର କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ ଅପରାଜିତା ଷଡଙ୍ଗୀ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଘର ଦୁର୍ବଳ ହେଲେ ଭାଙ୍ଗିବାଟା ଥୟ । ଫଳରେ ଘରେ ରହୁଥିବା ଲୋକେ ମଧ୍ୟ ଭୟଭୀତ ହେବା ସ୍ୱାଭାବିକ କଥା ବୋଲି କହି ବର୍ଷିଛନ୍ତି ଅପରାଜିତା । ଘରର ଅବସ୍ଥା ଭଳି ବିଜେଡି ବି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଓ ବିଜେଡି ନେତାଙ୍କ ଭବିଷ୍ୟତ ମଧ୍ୟ ବିପଦରେ ବୋଲି ସାଂସଦ ଷଡଙ୍ଗୀ ଜଣାଇଛନ୍ତି ।

ବିଜେଡିର ଦୁର୍ବଳତା କାରଣରୁ ଦଳର ନେତାମାନେ ଅନ୍ୟ ବାଟ ଆପଣାଉଥିବା କଥା କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ମମତା ମହନ୍ତ ଦଳ ଛାଡିବା ତ କେବଳ ଟ୍ରେଲର ଥିଲା । ଲୋକେ ଆଗକୁ ସିନେମା ବି ଦେଖିବାକୁ ପାଇବେ ବୋଲି କହି ଅପରାଜିତା ନିଜର ତୀକ୍ଷ୍ଣ ଶର ମାରିଛନ୍ତି ବିଜେଡିକୁ । ତାଙ୍କର ଏହି କଥାର ତାତ୍ପର୍ଯ୍ୟ ହେଉଛି ଆଗାମୀ ଦିନରେ ଆହୁରି ନେତା ବିଜେଡି ଛାଡିବା । କହିରଖୁ, ନିକଟରେ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଶଙ୍ଖ ଛାଡି ପଦ୍ମ ଧରିଥିଲେ । ଏହାପରଠୁ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପର ପର୍ବ ଲାଗିରହିଛି । ଯାହା କେବେ ସରିବ ତାହା ତ ସମୟ କହିବ ।

Get real time updates directly on you device, subscribe now.