fbpx

ବିଶ୍ୱକପରେ ଗୁରୁ ଦାୟିତ୍ୱ ନେବେ ‘Captain Cool’ ! ଟୁର୍ଣ୍ଣାମେଣ୍ଟରେ ସାଜିବେ ଟିମ ଇଣ୍ଡିଆର ସାରଥୀ

ନୂଆଦିଲ୍ଲୀ: କେବଳ ଭାରତର ନୁହେଁ, ସାରା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମାନଙ୍କ ଭିତରେ ଖୁବ ଆଗରେ ରହିଛନ୍ତି କ୍ୟାପଟେନ କୁଲ ମାହି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଇସିସିର ସମସ୍ତ ଟ୍ରଫି ଉପରେ କବଜା କରିଛି । ତେବେ ସେ ଅଧିନାୟକ ପଦ ଛାଡିବା ପରଠାରୁ ଭାରତ ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହୋଇଛି । ତେଣୁ ଆସନ୍ତା ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ବିସିସିଆଇ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ଦେଇପାରେ ।

ଆସନ୍ତା ଅକ୍ଟୋବର-ନଭେମ୍ବରରେ ଲାଗିବ କ୍ରିକେଟର ମହାକୁମ୍ଭ ତଥା ଦିନିକିଆ ବିଶ୍ୱକପ । ତେଣୁ ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଭାରତରେ ଏହା ଆୟୋଜନ ହେଉଥିବାରୁ ଟିମ ଇଣ୍ଡିଆ ଏଥର ଚମ୍ପିଆନ ହୋଇପାରେ ବୋଲି ଦଳକୁ ସବୁଠୁ ବଡ ଦାବିଦାର ବୋଲି କୁହାଯାଉଛି । ତେବେ ନିକଟ ଅତୀତରେ ଭାରତର ପ୍ରଦର୍ଶନ ବିଭିନ୍ନ ଆଇସିସି ନକ୍ ଆଉଟ୍ ମ୍ୟାଚରେ ଖୁବ ଖରାପ ରହିଛି । ତେଣୁ ବିଶ୍ୱକପ ପାଇଁ ବିସିସିଆଇ ଧୋନୀଙ୍କୁ ଦଳରେ ସାମିଲ କରିବା ସହ ଗୁରୁଦାୟତ୍ୱ ଦେବା ନେଇ ଯୋଜନା କରୁଛି । ଦିନିକିଆ ବିଶ୍ୱକପ-୨୦୨୩ରେ ଭାରତୀୟ ଦଳର ମେଣ୍ଟର ଭାବରେ ମାହିଙ୍କୁ ନିୟୋଜିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଧୋନୀଙ୍କ ଅନୁଭବ ଏବଂ ଅଭିଜ୍ଞତାର ସମ୍ପୂର୍ଣ୍ଣ ପାଇଦା ଉଠାଇବା ପାଇଁ ଚେଷ୍ଟା କରିବ ଟିମ ଇଣ୍ଡିଆ । ଏହା ପୂର୍ବରୁ ସେ ୨୦୨୧ ଟି-୨୦ ବିଶ୍ୱକପରେ ଦଳର ମେଣ୍ଟର ଭାବରେ ରହି ସାରିଛନ୍ତି ।

କ୍ୟାପଟେନ କୁଲ ମାହିଙ୍କ ନେତୃତ୍ୱରେ ଭାରତ ପ୍ରଥମେ ୨୦୦୭ ଟି-୨୦ ବିଶ୍ୱକପ ଉପରେ କବଜା କରିଥିଲା । ଏହାସହିତ ୨୮ ବର୍ଷ ପରେ ଭାରତକୁ ଦିନିକିଆ ବିଶ୍ୱକପରେ ଚମ୍ପିଆନ କରିଥିଲେ ଅଧିନାୟକ ଏମ.ଏସ ଧୋନୀ । ତେବେ ଆଇସିସିର ତୃତୀୟ ଟ୍ରଫି ଚମ୍ପିଆନ୍ସ ଟ୍ରଫି ମଧ୍ୟ ଧୋନୀଙ୍କ ନେତୃତ୍ୱରେ ଜିତିଥିଲା ଭାରତୀୟ କ୍ରିକେଟ ଟିମ୍ । ୨୦୧୩ ମସିହାରେ ଭାରତ ଏହି ଟାଇଟଲକୁ କବଜା କରିବା ସହିତ ମାହି ବିଶ୍ୱର ପ୍ରଥମ ଅଧିନାୟକ ଭାବରେ ଆଇସିସିର ସମସ୍ତ ଟ୍ରଫି ଜିତିବାରେ ରେକର୍ଡ କରିଥିଲେ ।

Get real time updates directly on you device, subscribe now.