୧୭ଟି ଫସଲର MSP ବଢ଼ିଲା: କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କେଉଁ ଫସଲ କେତେ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ୧୭ଟି ଫସଲର ମିନିମମ୍ ସପୋର୍ଟ ପ୍ରାଇସ୍ (ଏମଏସପି) ବୃଦ୍ଧି କରିଛନ୍ତି । କୃଷକଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ କୃଷକଙ୍କ ପାଇଁ ୨ ଲକ୍ଷ କୋଟିର ବଜେଟ ରଖାଯାଇଛି । କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୁବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

ଏହି ୧୭ଟି ଫସଲ ମଧ୍ୟରେ ଧାନ (ସାମାନ୍ୟ), ଧାନ (ଗ୍ରେଡ-ଏ), ଜ୍ୱାର (ହାଇବ୍ରିଡ), ଜ୍ୱାର (ମାଲଦଣ୍ଡୀ), ବାଜରା, ରାଗୀ, ମକ୍କା, ତୂର (ଅରହର), ମୁଗ, ଉଡ଼ଦ, ବାଦାମ, ସୂର୍ଯ୍ୟମୁଖୀ, ସୋୟାବୀନ (ହଳଦିଆ), ରାଶି, ରାମତିଲ, କପାସ (ମଧ୍ୟମ ରେଶା), କପାସ (ଲମ୍ବା ରେଶା) ରହିଛି । ଏମଏସପି ହେଉଛି ଏକ ଦର ଯେଉଁ ମୂଲ୍ୟରେ ସରକାର କୃଷକଙ୍କ ଠାରୁ ଫସଲ କିଣିଥାନ୍ତି ।

ଆଜି ୨୦୨୨-୨୩ ବର୍ଷ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି ହେବା ଫଳରେ କୃଷକଙ୍କୁ ଏଣିକି ନୂଆ ଦାମରେ ଫସଲ ବିକ୍ରି କରିବାର ସୁଯୋଗ ମିଳିବ । ଏଥିରେ କୃଷକମାନେ ଅଧିକ ଆୟ ହାସଲ କରିପାରିବେ । ମୁଗର ଏମଏସପି କ୍ୱିଣ୍ଟାଲ ପିଛା ୪୮୦ ଟଙ୍କା ବଢ଼ିଛି । ସେହିପରି ଉଡ଼ଦ ୩୦୦ ଟଙ୍କା, ଧାନ ୧୦୦ ଟଙ୍କା, ବାଦାମ ୩୦୦ ଟଙ୍କା, ବାଜରା ୧୦୦ ଟଙ୍କା, ଅରହର ୩୦୦ ଟଙ୍କା, ଜ୍ୱାର ୨୩୨ ଟଙ୍କା, ସୂର୍ଯ୍ୟମୁଖୀ ୩୮୫ ଟଙ୍କା, ରାଶି ୫୨୩ ଟଙ୍କା ବୃଦ୍ଧି କରାଯାଇଛି ।