fbpx

୯ ପ୍ରତିଶତ ବଢ଼ିବ MSP! କୃଷକଙ୍କୁ ଉପହାର ଦେବେ ମୋଦୀ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ୧୨ତମ କିସ୍ତି କୃଷକଙ୍କୁ ଖୁବଶୀଘ୍ର ଟ୍ରାନ୍ସଫର ହେବ । ତେବେ ଏହା ପୂର୍ବରୁ କୃଷକଙ୍କୁ ମୋଦୀ ସରକାର ଏକ ବଡ଼ ଉପହାର ଦେଇ ପାରନ୍ତି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଳୀର ପୁସା ମେଳା ପଡ଼ିଆରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ମୋଦୀ କୃଷକଙ୍କୁ ସେମାନଙ୍କର କିସ୍ତି ପ୍ରଦାନ କରିବେ ।

ତେବେ ଆଇସିଏଆରର ଏହି କାର୍ଯ୍ୟକ୍ରମ ପୂର୍ବରୁ କୃଷକଙ୍କୁ ଏକ ବଡ଼ ଉପହାର ମିଳିପାରେ । କେନ୍ଦ୍ର ସରକାରଙ୍କ ତରଫରୁ ରବି ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । କେନ୍ଦ୍ର କ୍ୟାବିନେଟ ଓ ସିସିଇଏର ଆଜିର ବୈଠକରେ ରବି ଫସଲର ଏମଏସପି ଉପରେ ନିଷ୍ପତ୍ତି ନିଆଯାଇପାରେ । ସୂତ୍ର ମୁତାବକ, କେନ୍ଦ୍ର ସରକାର ରବି ଫସଲର ଏମଏସପି ୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଡାଲିର ମୂଲ୍ୟରେ ସବୁଠାରୁ ଅଧିକ ପରିବତ୍ତର୍ନ ହୋଇପାରେ । ତେବେ ଏହି ଖବର ମିଳିବା ପରେ କୃଷକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ)ରେ ତୁଅର, ଉଡ଼ଦ ଓ ମସୁର ଡାଲିର କ୍ରୟ ସୀମା ବୃଦ୍ଧି କରି ୪୦ ପ୍ରତିଶତ କରିଥିଲେ । ତା’ ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ରହିଥିଲା । କୃଷିଜାତ ସାମଗ୍ରୀ ଏମଏସପି ତଳକୁ ଆସିଲେ ପିଏସଏସ ପ୍ରଭାବଶାଳୀ ହୋଇଥାଏ ।

Get real time updates directly on you device, subscribe now.