ମୁମ୍ବାଇରେ ବନ୍ୟା ; ୧୧ ହଜାରରୁ ଅଧିକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ୧୬ ଏନଡିଆରଏଫ ଟିମ୍…

ଜୟକୱାଡି ଡ୍ୟାମ ଗେଟ୍ ଖୋଲିବାରୁ ବଢିଲା ଜଳ ସ୍ତର...

ମୁମ୍ବାଇ: ପ୍ରବଳ ବର୍ଷାରେ ମୁମ୍ବାଇରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି । ଅସରାଏ ବର୍ଷାରେ ଧୋଇ ହୋଇଗଲାଣି ପୁରା ସହର। ବର୍ଷା ଜନିତ କାରଣରୁ ୧୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକିଛି ଦିନ ହେବ ମୁମ୍ବାଇ,ବେଙ୍ଗାଲୁରୁ ସମେତ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟ ଉପର ଦେଇ ବର୍ଷା ପାଣି ପ୍ରବାହିତ ହେଉଛି ।

ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡି କରେଣ୍ଟ ଲାଗିବା କାରଣରୁ ଲୋକଙ୍କ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ମୁମ୍ବାଇ ସହରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ଜନିତ କାରଣରୁ ମୁମ୍ବାଇରେ ୧୦ ଜଣ ଲୋକଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟା ଭିତରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ତଳତଳିଆ ଅଞ୍ଚଳରେ ପାଣି ଜମିବା ସହ ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ ୧୧ ହଜାର ୮ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

୧୬ଟି ଏନଡିଆରଏଫ ଦଳକୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯାଇଛି । ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ନାସିକ ଜିଲ୍ଲାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ପାଣି ଜମି ଘର କାନ୍ଥ ଭୁସୁଡ଼ିପଡ଼ିବାରୁ ୩ ଜଣଙ୍କ ଜୀବନ ଯାଇଛି । ଧାରାଶିବ ଓ ଅହଲ୍ୟାନଗରରେ ୨ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ମିଳିଛି।

ମରାଠୱାଡା, ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗୋଦାବରୀ ନଦୀର ଜୟକୱାଡି ଡ୍ୟାମରେ ଜଳପ୍ରବାହ ବୃଦ୍ଧି ପାଇବାରୁ ସମସ୍ତ ଗେଟ୍ ଖୋଲି ଦିଆଯାଇଛି । ଯାହା ପ୍ରଭାବରେ ମରାଠୱାଡାରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।

ବନ୍ୟା ପରିସ୍ଥିତିକୁ ନଜରରେ ରଖି, ଛତ୍ରପତି ସମ୍ଭାଜୀନଗରରରୁ ପ୍ରାୟ ୭୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯୬ ମିମି ବର୍ଷା ହୋଇଥିବାରୁ ଏହା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଠଟି ଜିଲ୍ଲାରେ ବର୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି ଏହାସହ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।