fbpx

Irani Cup 2024: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପ୍ରଥମ ଥର ଇରାନୀ କପ୍ ଚାମ୍ପିୟନ ହେଲା ମୁମ୍ବାଇ

ନୂଆଦିଲ୍ଲୀ: ପାଖାପାଖି ୩ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷା ପରେ ମୁମ୍ବାଇର ସ୍ୱପ୍ନ ପୂରଣ ହୋଇଛି । ଗତ ସିଜିନରେ ମୁମ୍ବାଇ ରଣଜୀ ଟ୍ରଫି ଚାମ୍ପିୟନ ହୋଇଥିବା ବେଳେ ଚଳିତ ଥର ଇରାନୀ କପ୍ ଜିତିଛି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ମୁମ୍ବାଇ ୧୫ ଥର ଇରାନୀ କପ୍ ଜିତିବାକୁ ସକ୍ଷମ ହୋଇଛି । ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଓ ଅବଶିଷ୍ଟ ଭାରତ ମଧ୍ୟ ଖେଳାଯାଇଥିବା ମ୍ୟାଚ ଡ୍ର ରହିଥିଲା । ତେଣୁ ପ୍ରଥମ ପାଳିରେ ଅଗ୍ରଣୀ କାରଣରୁ ମୁମ୍ବାଇ ଚାମ୍ପିୟନ ହେବାକୁ ସକ୍ଷମ ହୋଇଥିଲା ।

ଏହା ପୂର୍ବରୁ ୧୯୯୭ରେ ମୁମ୍ବାଇ ଇରାନୀ କପ୍ ଚାମ୍ପିୟନ ହୋଇଥିଲା । ତେଣୁ ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ମୁମ୍ବାଇ ପୁଣି ଥରେ ତା’ର ପୂର୍ବ ଗୌରବକୁ ଫେରି ପାଇଛି । ଅଜିଙ୍କ୍ୟ ରାହାଣେ ମୁମ୍ବାଇର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ବେଳେ ଋତୁରାଜ ଗାୟକୱାର୍ଡ ରେଷ୍ଟ ଅଫ୍ ଇଣ୍ଡିଆର ନେତୃତ୍ୱ ବହନ କରିଥିଲେ । ପ୍ରଥମ ଇନିଂରେ ଦ୍ୱିଶତକ ଅର୍ଜନ କରିଥିବା ସର୍ଫରାଜ ଖାନଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ବିବେଚିତ କରାଯାଇଥିଲା । ରଣଜୀ ଚାମ୍ପିୟନ ଟିମ୍ ସହ ରେଷ୍ଟ ଅଫ୍ ଇଣ୍ଡିଆର ମୁକାବିଲା ଇରାନୀ କପରେ ହୋଇଥାଏ । ପୂର୍ବ ସିଜିନରେ ମୁମ୍ବାଇ ରଣଜୀ ଟ୍ରଫି ଜିତିଥିଲା । ରେଷ୍ଟ ଅଫ୍ ଇଣ୍ଡିଆ ସର୍ବାଧିକ ୩୦ଟି ସୁଯୋଗରେ ଇରାନୀ କପ୍ ଚାମ୍ପିୟନ ହୋଇଥିବା ବେଳେ ଏ କ୍ଷେତ୍ରରେ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି ।

ଖେଳର ଆଜି ପଞ୍ଚମ ଦିନରେ ମୁମ୍ବାଇର ଦ୍ୱିତୀୟ ଇନିଂସରେ ସ୍କୋର ୮ ୱିକେଟରେ ୩୨୯ ରନ୍ ରହିଥିଲା । ଏହାପରେ ଦୁଇ ଟିମ୍ ମ୍ୟାଚକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇର ଦ୍ୱିତୀୟ ଇନିଂସରେ ତନୁଷ କୋଟିୟନ ୧୧୪ ରନରେ ଅପରାଜିତ ରହିଥିବା ବେଳେ ପୃଥ୍ୱୀ ଶ’ ୭୬ ଓ ମୋହିତ ଅବସ୍ଥୀ ୫୧ ରନ୍ କରି ଅପରାଜିତ ରହିଥିଲା । ପ୍ରଥମ ଇନିଂସରେ ଅଗ୍ରଣୀ ରହିଥିବା ମୁମ୍ବାଇର ସ୍କୋର ଏକଦା ୮ ୱିକେଟରେ ୧୭୧ ରନ୍ ରହିଥିଲା । ଏପରି ସ୍ଥିତିରେ ତନୁଷ କୋଟିୟନ ଓ ମୋହିତ ଅବସ୍ଥୀ ନବମ ୱିକେଟରେ ୧୫୮ର ପାର୍ଟନରସିପ୍ କରି ଦଳକୁ ସେଫ୍ ଜୋନରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.