ଏମିତି କ’ଣ ହେଲା ଯେ ମୁନାୱରଙ୍କୁ ଦରକାର ପଡ଼ିଲା ଏତେ ସିକ୍ୟୁରିଟି ? କମେଡିଆନଙ୍କୁ ଘାରିଛି କେଉଁ ଭୟ

ମୁମ୍ବାଇ: କମେଡିଆନ୍ ତଥା ରିଆଲିଟି ଶୋ’ ବିଗ ବସ-୧୬ ୱିନର ମୁନାୱର ଫାରୁକି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କେତେବେଳେ ନିଜ ଲଭ ଲାଇଫକୁ ନେଇ ତ ଆଉ କେତେବେଳେ ନିଜ କମେଡି ପାଇଁ । କିଛିଦିନ ହେବ ସୋସିଆଲ ମିଡିଆରେ ମୁନାୱରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ମୁନାୱର ଏକାଧିକ ସାଦା ପୋଷାକଧାରୀ ସିକ୍ୟୁରିଟି ଗାର୍ଡ ଓ ପୋଲିସଙ୍କ ସହ ନଜର ଆସୁଛନ୍ତି । ପ୍ରଥମ ଥର ପାଇଁ ମୁନାୱର ଦେହରକ୍ଷୀଙ୍କୁ ସାଥୀରେ ନେଇ କୌଣସି ଆଡ଼େ ଯାଉ ଥିବାର ଦେଖିବାକୁ ମିଳିଛି । ତେବେ ନିଜକୁ ସାଧାରଣ ବୋଲି କହୁଥିବା ମୁନାୱରଙ୍କଠାରେ ଏ ପରିବର୍ତ୍ତନ ଆସିଛି ମାତ୍ର ଗୋଟିଏ ଧମକ ପାଇଁ ।

ଗୁଜୁରାଟ ଜେଲରେ ସଜା କାଟୁଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଗତ ମାସରେ ମୁନାୱରଙ୍କୁ ହତ୍ୟା ଧମକ ଆସିଥିଲା । ଆଉ ଯାହାପରେ ସେ ବାହାରକୁ ବାହାରିଲେ ସୁରକ୍ଷା ବଳୟ ସହ ବାହାରୁଥିବା କୁହାଯାଉଛି । ମୁନାୱରଙ୍କ ଭିଡିଓ ଭାଇରାଲ ହେବା ସହ ୟୁଜର୍ସ ଏଥିରେ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଡରିଗଲା ବିଚାରା, ଆଉ ଜଣେ ଲେଖିଛନ୍ତି-ମୁନାୱର ଆଖିରେ ବିଷ୍ଣୋଇ ପାଇଁ ଡର ଦେଖାଯାଇଛି । ସେପରି ଭାବେ ଆଉ ଜଣେ କମେଣ୍ଟ କରିଛନ୍ତି,ଶସ୍ତା ସିକ୍ୟୁରିଟି ପାଇଛି ମୁନାୱର ।

ବର୍ତ୍ତମାନ ସ୍ଥିତିରେ ବଲିଉଡରେ ବିଷ୍ଣୋଇର ଡର ପ୍ରତିଟି ଛୋଟ, ବଡ଼ କଳାକାର ପାଖରେ ଦେଖିବାକୁ ମିଳୁଛି । ଶୁକ୍ରବାର ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ୫ମ ଥର ପାଇଁ ହତ୍ୟା ଧମକ ଦେଇଛି । ଯେଉଁଥିରେ ସେ ଗୋଟିଏ ମାସ ଭିତରେ ସଲମାନଙ୍କୁ ଜୀବନରୁ ମାରିଦେବା କଥା କହିଛି । ଏ ନେଇ ସଲମାନ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।