fbpx

ମୋ ଡ୍ୟୁଟି ସରିଲା, ମୁଁ ଚାଲିଲି… ଅଧାରୁ ଫ୍ଲାଇଟ ଛାଡ଼ିଲେ ପାଇଲଟ୍: ଫସିଗଲେ ୧୬୦୦ ଯାତ୍ରୀ

ନୂଆଦିଲ୍ଲୀ: ଫ୍ଲାଇଟରେ ଯିବା ଅନେକ ଲୋକଙ୍କ ପାଇଁ ଖୁସିର ମୁହୂର୍ତ୍ତ ହୋଇଥାଏ । ଫ୍ଲାଇଟର ପାଇଲଟଙ୍କ ଉପରେ ଭରସା କରି ଯାତ୍ରା କରିତାନ୍ତି ହଜାର ହଜାର ଯାତ୍ରୀ । କିନ୍ତୁ ଯାତ୍ରୀମାନଙ୍କ ଏହି ଭରସାକୁ ଏବେ ଭାଙ୍ଗି ଦେଇଛନ୍ତି ପାଇଲଟ୍ । ଏକାସାଙ୍ଗରେ ୧୦ ଜଣ ପାଇଲଟ୍ ଫ୍ଲାଇଟ ଛାଡ଼ି ଫେରି ଯାଇଛନ୍ତି । ଫଳରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଧା ରାସ୍ତାରେ ଫସି ଯାଇଛନ୍ତି ୧୬୦୦ରୁ ଅଧିକ ଯାତ୍ରୀ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁର ଏୟାରପୋର୍ଟରେ । ପାଇଲଟ ମାନଙ୍କ ଏଭଳି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଗତ କିଛି ବର୍ଷ ମଧ୍ୟରେ ଜୟପୁର ଏୟାରପୋର୍ଟରେ ଏଭଳି ପ୍ରଥମ ଥର ହୋଇଛି । ଗୋଟିଏ ଦିନରେ ୧୦ ଜଣ ପାଇଲଟ ବିମାନକୁ ଛାଡ଼ି ଦେବା ସହିତ ଫ୍ଲାଇଟ ଉଡ଼ାଇବାକୁ ମନା କରି ଦେଇଛନ୍ତି । ଏଭିଏସନ୍ ବିଭାଗର ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେଡ ବା FDTL ନିୟମ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିମାନର ପାଇଲଟ୍ । ଡ୍ୟୁଟି ସମୟ ଶେଷ ହେବା ପରେ ବିମାନ ଛାଡ଼ି ଫେରି ଆସିଛନ୍ତି ପାଇଲଟ୍ । ଫଳରେ ୧୦ଟି ଫ୍ଲାଇଟ ଉଡ଼ାଣ ଭରିବା ପୂର୍ବରୁ ହିଁ ଏୟାରପୋର୍ଟରେ ଅଟକି ଯାଇଛି । ଏହି ସମସ୍ତ ଫ୍ଲାଇଟ ଘନକୁହୁଡ଼ି ଯୋଗୁଁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା ।

ଏଥିରେ ଇଣ୍ଡିଗୋର ୨ଟି ବିମାନ, ଏୟାର ଇଣ୍ଡିଆର ୫ଟି ବିମାନ ସହ ଆଲାୟନ୍ସ ଏୟାରର ୨ଟି ଫ୍ଲାଇଟ ଏବଂ ଭିସ୍ତାରାର ଗୋଟିଏ ଫ୍ଲାଇଟ ସାମିଲ ରହିଛି । ଏହିସବୁ ଫ୍ଲାଇଟରେ FDTL ହୋଇଥିବା ବେଳେ ଏହି ବିମାନ ଗୁଡ଼ିକରେ ମୋଟ ୧୬୦୦ ଯାତ୍ରୀ ଫସି ରହିଛନ୍ତି । ତେବେ ୧୦ଟି ଫ୍ଲାଇଟ ରୁ ୨ଟି ଫ୍ଲାଇଟ ଲକ୍ଷ୍ୟସ୍ଥଳକୁ ଉଡ଼ାଣ ଭରିଥିବା ବେଳେ ୮ଟି ଫ୍ଲାଇଟ ଏବେ ବି ଏୟାରପୋର୍ଟରେ ଠିଆ ହୋଇ ରହିଛି ।

ରାଜଧାନୀ ଦିଲ୍ଲୀରେ ଘନକୁହୁଡ଼ି ଯୋଗୁଁ ସଠିକ ଦୃଶ୍ୟମାନ ହେଉ ନଥିଲା, ତେଣୁ ଫ୍ଲାଇଟଗୁଡ଼ିକୁ ଦିଲ୍ଲୀ ଯିବା ପରିବର୍ତ୍ତେ ଜୟପୁରକୁ ଡାଇଭର୍ଟ କରାଯାଇଥିଲା । ଜୟପୁରରେ ଲ୍ୟାଣ୍ଡ ହେବା ପରେ ପାଇଲଟ ନିଜ ନିଜ ଡ୍ୟୁଟି ଟାଇମ ଶେଷ ହୋଇଯିବାରୁ ରାତିରେ ହିଁ ଫ୍ଲାଇଟ ଛାଡ଼ି ଦେଇଛନ୍ତି । ଫଳରେ ୧୦ଟି ଫ୍ଲାଇଟ ଜୟପୁର ବିମାନ ବନ୍ଦରରେ ଅଟକି ରହିଥିଲା ଏବଂ ବିମାନଗୁଡ଼ିକରେ ମୋଟ ୧୬୦୦ରୁ ଅଧିକ ଯାତ୍ରୀ ମଧ୍ୟ ଲକ୍ଷ୍ୟସ୍ଥଳରେ ନ ପହଞ୍ଚି ସେଠାରେ ଅଟକି ରହିଛନ୍ତି ।

Get real time updates directly on you device, subscribe now.