fbpx

ଜାପାନର ବୈଜ୍ଞାନିକଙ୍କ ରିପୋର୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା: କରୋନା ଭାଇରସ ପ୍ରଭାବରେ ବିଶ୍ୱରେ ‘ହାର୍ଟ ଫେଲ୍’ ମାମଲା ଦ୍ରୁତ ଭାବେ ବଢ଼ିପାରେ

ନୂଆଦିଲ୍ଲୀ: ଗତ ୨୦୨୦ ମସିହାରେ କରୋନାର ଆଗମନ ପରେ ସାରା ବିଶ୍ୱର ସ୍ଥିତି ବହୁ ମାତ୍ରାରେ ବଦଳି ଯାଇଛି । କ୍ରମାଗତ ଭାବେ କୋଭିଡ-୧୯ର ଗୋଟିଏ ପରେ ଗୋଟିଏ ଘାତକ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଚଳିତ ମାସରେ ପୁଣି ଥରେ ସାରା ବିଶ୍ୱରେ କରୋନାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକ ବଡ଼ ରିପୋର୍ଟ ଦେଇଛନ୍ତି ।

ସୂଚନା ମୁତାବକ, କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱରେ ହାର୍ଟ ଫେଲୁଅର ସମସ୍ୟା ଦ୍ରୁତ ଭାବେ ବୃଦ୍ଧି ପାଇପାରେ । ମଣିଷର କୋଷିକା ଭିତରେ କରୋନା ଭାଇରସ ଯେଉଁ ଏସିଇ୨ ରିସେପ୍ଟର୍ସରେ ଲାଗି କରି ରହିଥାଏ, ତାହା ହୃଦୟରେ ‘ଅତ୍ୟନ୍ତ ସାଧାରଣ’ ଭାବେ ରହିଥାଏ ବୋଲି କୁହାଯାଇଛି । ଏଥିସହିତ ଯେଉଁ ଲୋକମାନେ କୋଭିଡରେ ସଂକ୍ରମିତ ହୋଇଛନ୍ତି ବର୍ତ୍ତମାନ ସମୟରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ହାର୍ଟ ଠିକରେ କାମ କରୁନଥିବା ମଧ୍ୟ କୁହାଯାଇଛି ।

ତେବେ ଏହା ପଛର କାରଣ ବର୍ତ୍ତମାନ ଅଜ୍ଞାତ ରହିଥିବା ବେଳେ ଆଗାମୀ ଦିନରେ ଲୋକଙ୍କ ଠାରେ ହାର୍ଟ ଆଟାକ୍ ଭଳି ସମସ୍ୟା ବହୁମାତ୍ରାରେ ଦେଖିବାକୁ ମିଳିପାରେ । ଜାପାନର ଶୀର୍ଷ ଗବେଷଣା ସଂସ୍ଥା, ରିକେନର ବୈଜ୍ଞାନିକମାନେ ଏନେଇ ଚେତାବନୀ ଦେଇଥିବା ବେଳେ ଏହାର ରିପୋର୍ଟ ନିକଟରେ ପ୍ରକାଶିତ ହୋଇଛି । କୋଭିଡ-୧୯ ମହାମାରୀ କାରଣରୁ ପରିସ୍ଥିତି ବହୁତ କିଛି ବଦଳି ଯାଇଛି । ସାର୍ସ-କୋଭ-୨ର କ୍ରମାଗତ ସଂକ୍ରମଣ କାରଣରୁ ଭବିଷ୍ୟତରେ ହାର୍ଟ ଫେଲୁଅରର ଆଶଙ୍କା ଦ୍ରୁତ ଭାବେ ବଢ଼ିବା ନେଇ ଅନୁମାନ କରାଯାଉଛି ।

ତେବେ ଏନେଇ କୌଣସି ଶକ୍ତ ପ୍ରମାଣ ମିଳିନଥିଲେ ହେଁ ସାର୍ସ-କୋଭ-୨ ସଂକ୍ରମଣ ହାର୍ଟ ଫେଲୁଅର ମାମଲା ସହ ଜଡ଼ିତ ରହିଛି । ଏହାର ସମାଧାନର ବ୍ୟବସ୍ଥା କରାନଗଲେ ତାହା ବିଶ୍ୱରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ନିକଟରେ ବିଶ୍ୱର ବିଭିନ୍ନ ଦେଶରେ ଜେଏନ.୧ ନୂଆ ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାଦ୍ୱାରା ହୃଦ୍ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । କରୋନା ଭାଇରସରେ ସଂକ୍ରମିତ ହୋଇଥିବା କିଛି ଲୋକଙ୍କ ହୃଦୟରେ କ୍ରମାଗତ ଭାବେ ଭାଇରଲ ସଂକ୍ରମଣ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.