fbpx
BSKY
BJD MC SKY
BJD YOUTH SKY

ବଡ଼ଦାଣ୍ଡରେ ଭିଡ଼ ଜମୁଛି : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ନବଯୌବନ ଦର୍ଶନ । ଏଥିନେଇ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଦୀର୍ଘ ୧୫ ଦିନର ଅନବସର ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ମହାବାହୁ । ସୋମବାର ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ କରାଯିବ । ଏହାପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ହେବ । ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ଏଥର ଉଭା ଯାତ୍ରା ପଡ଼ୁନଥିବାରୁ ଭକ୍ତମାନେ ସୋମବାର ଗୋଟିଏ ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ । ଭକ୍ତଙ୍କ ଅହେତୁକ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପରିମାଣିକ ଟିକଟଧାରୀଙ୍କୁ ଦର୍ଶନ ପାଇଁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି ।

ସେହିପରି ପରିମାଣିକ ଟିକଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ଏହି ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୭ ହଜାର ଟିକଟ କରାଯାଇଛି । ରବିବାର ସକାଳ ୮ଟାରୁ ବଡ଼ଦାଣ୍ଡସ୍ଥିତ ନିଳାଦ୍ରି ଭକ୍ତ ନିବାସଠାରେ ଟିକଟ ବିକ୍ରି ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଗୋଟିଏ ଦିନ ନବଯୌବନ ଦର୍ଶନ ପଡ଼ୁଥିବାରୁ ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ଶ୍ରୀଗୁଣ୍ଡିଚା ନୀତିକାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଦିନ ୧୧ଟା ପରେ ସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ।

ଏପଟେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ଶେଷ କରିଛନ୍ତି । ହେଙ୍ଗୁଳ, ହରିତାଳ, କସ୍ତୁରି ଓ କେଶର ରଙ୍ଗ ବ୍ୟବହାର କରି ଏହି ବନକଲାଗି ନୀତି କରାଯାଇ ଥାଏ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେହିପରି ରଥଯାତ୍ରା ଦିନ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।

ରଥଯାତ୍ରା ପାଇଁ ପୂର୍ବବର୍ଷ ଭଳି ଚଳିତ ବର୍ଷ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥଟଣା ମକଡ୍ରିଲ କରାଯାଇଛି । ବିଶେଷ କରି ୩ ରଥର ସୁରକ୍ଷା, ରଥର ଇନର ଓ ଆଉଟର କର୍ଡନ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଇଥିଲା । ଅନ୍ୟପକ୍ଷରେ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.