ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଦଳମାନେ ଏବେଠାରୁ ଅଙ୍କ କଷିବା ଆରମ୍ଭ କରିଦେଲେଣି । ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀଙ୍କ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ହ୍ୟାଟ୍ରିକ ବିଜୟ ହାସଲ ସହ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ଏନଡିଏ ଯୋଜନା କରୁଥିବା ବେଳେ ଅନ୍ୟପଟେ ଇଣ୍ଡିଆ ଏନଡିଏକୁ ରୋକିବାକୁ ଯଥାସମ୍ଭବ ପ୍ରୟାସ ଚଳାଇଛି ।
ତେବେ ଏହା ମଧ୍ୟରେ ଆସିଛି ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ୍ । ଏହି ସର୍ଭେ ମୁତାବକ, ଆସନ୍ତା ୨୦୨୪ରେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବ । ବିଜେପି କର୍ଣ୍ଣାଟକ, ଗୁଜରାଟ, ଗୋଆ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଅଧିକାଂଶ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଆଗରେ ରହିବ । ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମଣିପୁର, ପଞ୍ଜାବ ଓ ବିହାରର ପ୍ରଦର୍ଶନ ଉପରେ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏନଡିଏକୁ ହରାଇବା କ୍ଷେତ୍ରରେ ଇଣ୍ଡିଆ ପଛରେ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି ।
୫୪୩ଟି ଲୋକସଭା ଆସନ ମଧ୍ୟରୁ ଏନଡିଏକୁ ୩୧୮, ଇଣ୍ଡିଆକୁ ୧୭୫ ଓ ଅନ୍ୟ ଦଳମାନଙ୍କୁ ୫୦ଟି ସିଟ୍ ମିଳିବ । ଉତ୍ତରପ୍ରଦେଶରେ ଏନଡିଏ ୮୦ରୁ ୭୩ଟି ସିଟ୍ ହାତେଇବ । ଉତ୍ତରାଖଣ୍ଡରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସମସ୍ତ ୫ଟି ଆସନରେ ବାଜିମାତ କରିବା ସହ କେରଳରେ ୧୧ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିବ । ସେହିପରି ଓଡ଼ିଶାରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୧୩ଟି ଆସନରେ ଜିତିବା ସହିତ ବିଜେପି ୮ଟିରେ ଜିତିବ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ୨୯ଟି ଓ ବିଜେପିକୁ ୧୨ଟି ସିଟ୍ ମିଳିବ ।
ଗୋଆରେ ବିଜେପିକୁ ୫୬ ପ୍ରତିଶତ ଭୋଟ ମିଳିବା ସହ କଂଗ୍ରେସକୁ ୩୫ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ଏନଡିଏକୁ ୪୪ ପ୍ରତିଶତ ଭୋଟ ମିଳିବା ସହ ବିଜେପି ୩୨ ପ୍ରତିଶତ ଭୋଟ ପାଇବ । ଦଳ ୩ଟି ଲୋକସଭା ଆସନ ହରାଇପାରେ । କର୍ଣ୍ଣାଟକରେ ବିଜେପି ୩ଟି ଆସନ ହରାଇବା ସହ ୩୭ ପ୍ରତିଶତ ଭୋଟ ପାଇପାରେ । କ୍ରମାଗତ ୩ୟ ଥର ପାଇଁ ଗୁଜରାଟରେ ବିଜେପି ୨୬ଟି ସିଟରେ ଜିତିବାର ସମ୍ଭାବନା ରହିଛି ।
ହରିୟାଣାରେ ବିଜେଜପିକୁ ୮ଟି ଓ ଇଣ୍ଡିଆ ମେଣ୍ଟକୁ ୨ଟି ଆସନ ମିଳିପାରେ । ପଞ୍ଜାବରେ ସମସ୍ତ ୧୩ଟି ଆସନ ଇଣ୍ଡିଆ ଖାତାକୁ ଯିବା ସହ ବିଜେପି ରାଜ୍ୟରେ ଖାତା ଖୋଲିବାରେ ଅକ୍ଷମ ହେବ । ଛତିଶଗଡ଼ରେ ବିଜେପିକୁ ୭ଟି ଓ କଂଗ୍ରେସକୁ ୬ଟି ସିଟ୍ ମିଳିପାରେ । ଝାଡ଼ଖଣ୍ଡରେ ବିଜେପିକୁ ୧୨ଟି, ଜେଏମଏମକୁ ୧ଟି ଓ ଏଜେଏସୟୁକୁ ୧ଟି ଆସନ ମିଳିପାରେ । ଦିଲ୍ଲୀରେ ବିଜେପିକୁ ୫ଟି ଓ ଇଣ୍ଡିଆକୁ ୨ଟି ଆସନ ମିଳିପାରେ । ଜମ୍ମୁ କଶ୍ମୀରରେ ବିଜେପିକୁ ୩ଟି, ନ୍ୟାସନାଲ କନଫରେନ୍ସ (ଏନସି)କୁ ୧ଟି ଓ ଡିପିଏପିକୁ ୧ଟି ଆସନ ମିଳିପାରେ । ହିମାଚଳ ପ୍ରଦେଶରେ ବିଜେପିକୁ ୩ଟି ଓ କଂଗ୍ରେସକୁ ୧ଟି ଆସନ ମିଳିପାରେ । ବିହାରରେ ଏନଡିଏକୁ ୨୪ଟି, ଆରଜେଡି-ଜେଡିୟୁ-କଂଗ୍ରେସ ମେଣ୍ଟକୁ ୧୬ଟି ସିଟ୍ ମିଳିବାର ସମ୍ଭାବନା ରହିଛି ।