fbpx

ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ ଖାସ୍‌, ଜାଣନ୍ତୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ କେଉଁମାନେ ରେସରେ ସାମିଲ ଅଛନ୍ତି ?

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ଭବନ ପରିସରରେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହ ଅନେକ ଦୃଷ୍ଟିରୁ ବିଶେଷ ହେବାକୁଯାଉଛି । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମୋଟ୍ ୮ ହଜାର ଅତିଥି ଯୋଗ ଦେବାର ସମ୍ଭାବନା ରହିଛି । ଗୋଟିଏ ପଟେ ଦେଶ ତଥା ବିଶ୍ୱର ଶୀର୍ଷ ନେତା ସାମିଲ ହେବେ ତ ଅନ୍ୟପଟେ ସଫେଇ କର୍ମୀ, ଟ୍ରାନ୍ସଜେଣ୍ଡର ମଜଦୁରମାନେ ଏହି ଐତିହାସିକ କ୍ଷଣର ସାକ୍ଷୀ ହେବେ । ଏହା ବ୍ୟତୀତ ଦେଶର ୧୦ଟି ବନ୍ଦେ ଭାରତ ଟ୍ରେନର ଲୋକୋ ପାଇଲଟଙ୍କୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି । ଏଥିରୁ ୪ ଜଣ ମହିଳା ଲୋକୋ ପାଇଲଟ୍ ମଧ୍ୟ ସାମିଲ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ କ୍ୟାବିନେଟ୍ ପାଇଁ ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀଙ୍କୁ ମଧ୍ୟ ପିଏମଓ ତରଫରୁ ଫୋନ୍ କଲ୍ ଯାଇଛି । ତେବେ ମୋଦୀଙ୍କ ସହ NDAର ୧୪ ସହଯୋଗୀ ଦଳର ୧୮ ଜଣ ସାଂସଦ ମନ୍ତ୍ରୀ ପଦ ପାଇଁ ଶପଥ ନେଇପାରନ୍ତି । ଏଥିମଧ୍ୟରୁ ୭ ଜଣ କ୍ୟାବିନେଟ୍ ଏବଂ ଅନ୍ୟ ୧୧ ଜଣ ସ୍ୱତନ୍ତ୍ର ପ୍ରଭାରୀ ଏବଂ ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ତେବେ ଏନେଇ କୌଣମସି ଅଧିକାରିକ ସୂଚନା ମିଳିପାରିନାହିଁ । ସୂତ୍ରରୁ ପ୍ରକାଶ ଯେ NCP, LJP  ଏବଂ JDS କୋଟାରେ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି । ଏହା ବ୍ୟତୀତ ଅମିତ ଶାହା(ଗୃହମନ୍ତ୍ରୀ), ରାଜନାଥ ସିଂହ(ପ୍ରତିରକ୍ଷା ମନ୍ତ୍ରୀ) ଏବଂ ଏସ୍ ଜୟଶଙ୍କର(ବୈଦେଶିକ ମନ୍ତ୍ରୀ), ଅଶ୍ୱିନୀ ବୈଷ୍ଣବ(ରେଳ ମନ୍ତ୍ରୀ) ଏବଂ ନିତିନ ଗଡ଼କରୀ(ପରିବହନ ମନ୍ତ୍ରୀ)ଙ୍କୁ ବିଜେପି ନିଜ ପାଖରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ TDPକୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ସିଭିଲ ଆଭିଏସନ୍‌, ଗୋଟିଏ କ୍ୟାବିନେଟ ଏବଂ ଗୋଟିଏ ରାଜ୍ୟ ମନ୍ତ୍ରୀ ପଦ ମିଳିପାରେ ।

ସେହିପରି JDUକୁ ଶକ୍ତି ବିଭାଗ, ଗ୍ରାମୀଣ ବିକାଶ, ୨ଟି କ୍ୟାବିନେଟ ମନ୍ତ୍ରୀ ପଦ(ଲଲନ ସିଂହ କ୍ୟାବିନେଟ ମନ୍ତ୍ରୀ ଏବଂ ରାମନାଥ ଠାକୁର ରାଜ୍ୟ ମନ୍ତ୍ରୀ), LJP(R)ରୁ ଚିରାଗ ପାସୱାନ୍ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି । ଲୋକସଭା ବାଚସ୍ପତି ବିଜେପିର ହୋଇପାରନ୍ତି । ତେବେ ସାଂସଦ ରବନୀତ ସିଂହ ବିଟ୍ଟୁ, ଶିବସେନାର ପ୍ରତାପ ଯାଦବ, କେରଲର ଜର୍ଜ କୁରିୟନ, ଚିରାଗ ପାସୱାନ୍‌, ଅପନା ଦଲର ସାଂସନ ଅନୁପ୍ରିୟା ପଟେଲ, ଜେଡିୟୁର ସାଂସଦ ଲଲନ୍ ସିଂହ, ଜୟନ୍ତ ଚୌଧୁରୀ, ‘ଜେଡିଏସ୍‌’ର ସାଂସଦ ଏଚ୍ ଡି କୁମାରସ୍ୱାମୀ, ଜେଡିୟୁର ରାଜ୍ୟସଭା ସାଂସଦ ରାମନାଥ ଠାକୁର, ଟିଡିପିର ୩ ଥର ଏମପି ମୋହନ ନାଇଡୁ , ଟିଡିପି ସାଂସଦ ପି ଚନ୍ଦ୍ରଶେଖର ଆଦି ବ୍ୟକ୍ତି ବିଶେଷଙ୍କୁ ପିଏମଓ ଅଫିସରୁ ମନ୍ତ୍ରୀ ପଦ ପାଇଁ କଲ୍ ଯାଇଛି ।

Get real time updates directly on you device, subscribe now.