‘ଫାଇଲିନ’, ‘ହୁଡହୁଡ’ ପରି ବାତ୍ୟା ‘ଦାନା’କୁ ହରାଇବ ଓଡ଼ିଶା: ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲେ ମୋହନ-ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ବାତ୍ୟା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ସମୀକ୍ଷା କରିଥିଲେ । ସେହିପରି ଗଗତକାଲି ଲୋକସଭା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ବାତ୍ୟା ଗଭୀର ଅବପାତର ରୂପ ନେଇସାରିଥିବା ବେଳେ ଲ୍ୟାଣ୍ଡଫଲକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବରୁ କୁହାଯାଉଥିଲା । ପରବର୍ତ୍ତୀ ସମୟରେ ତାହା ଭିତରକନିକା, କେନ୍ଦ୍ରାପଡ଼ାରୁ ସାଗରଦୀପ ମଧ୍ୟରେ ମାଡ଼ ହେବ ବୋଲି କୁହାଯାଇଥିଲା । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ଭିତରେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଠାରୁ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଇଛି । ୨୪ ତାରିଖ ରାତି ସାଢ଼େ ୧୧ଟାରୁ ସକାଳ ଭିତରେ ବାତ୍ୟା ମାଡ଼ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ତେବେ ବାତ୍ୟାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମନ୍ତ୍ରୀ, ବିଧାୟକ, ବିଧାୟିକା, ଆଇଏଏସ ଅଧିକାରୀଙ୍କୁ ବାତ୍ୟା ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କୁ ବାତ୍ୟା ସଚେତନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରୁଛନ୍ତି । ସେହିପରି ବାତ୍ୟାର ସଫଳ ମୁକାବିଲା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଗକୁ ଆସିଛନ୍ତି । ବାତ୍ୟା ‘ଦାନା’କୁ ହରାଇ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗକୁ ଆସିଛନ୍ତି । ସବୁ ବାତ୍ୟା ପରି ଏଥର ମଧ୍ୟ ଓଡ଼ିଶା ସୁରକ୍ଷିତ ରହିବ ବୋଲି ସୋସିଆଲ ମିଡ଼ିଆରେ ନବୀନ ଏକ ପୋଷ୍ଟ ଶେୟାର କରିଛନ୍ତି । ସମସ୍ତେ ଏକହୋଇ ଲଢ଼ିଲେ ବାତ୍ୟା ନିଶ୍ଚିତ ଭାବେ ହାରିବ ଆଉ ଓଡ଼ିଶା ଜିତିବ ।

ସୂଚନାଯୋଗ୍ୟ ଯେ, ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡହୁଡ’, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ୫ଟି ବାତ୍ୟା ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ, ଜୱାଦ ଆଦି ଦେଖିବାକୁ ମିଳିଥିଲା । ମାତ୍ର ସେହି ସମୟରେ ନବୀନଙ୍କ ଉଚ୍ଚକୋଟୀର ବାତ୍ୟା ସୁପରିଚାଳନା ପାଇଁ ଓଡ଼ିଶା ଅନେକ ବଡ଼ ବଡ଼ ବିପଦରୁ ମୁକ୍ତି ପାଇ ପାରିଥିଲା । ଏଥିପାଇଁ ମିଳିତ ଜାତିସଂଘ ତରଫରୁ ଓଡ଼ିଶାକୁ ବଡ଼ ପ୍ରଶଂସା କରାଯାଇଥିଲା । ବାତ୍ୟା ସୁପରିଚାଳନାରେ ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ସାଜିଥିଲା । ଏଥର ମଧ୍ୟ ମୋହନ ଓ ନବୀନଙ୍କ ଏହି ପ୍ରୟାସ ବ୍ୟର୍ଥ ଯିବ ନାହିଁ । ଧୈର୍ଯ୍ୟର ସହ ଲଢ଼େଇ ଜାରି ରଖିଲେ ଓଡ଼ିଶାବାସୀଙ୍କର ବାତ୍ୟା କିଛି ବି କରିପାରିବ ନାହିଁ ।