fbpx

ନବୀନ ଖେଳିବେ ମାଷ୍ଟରଷ୍ଟ୍ରୋକ! ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚଳଚଞ୍ଚଳ ରାଜ୍ୟ ରାଜନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଲେଣି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର କ୍ୟାବିନେଟରେ ଅଦଳବଦଳ କରିବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ହେଉଥିଲା । ତେବେ ଗତକାଲି ରାଜ୍ୟ ବିଧାନସଭାର ବାଚସ୍ପତି ଓ ଦୁଇ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଏବେ ଅଧିକ ଦୃଢ଼ୀଭୂତ ହୋଇଛି ।

ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ନିଜ ନିଜର ଇସ୍ତଫା ପ୍ରଦାନ କରିଥିଲେ । ତେବେ ଗୋଟିଏ ଦିନରେ ରାଜ୍ୟ କ୍ୟାବିନେଟର ୩ ଜଣ ପ୍ରମୁଖ ସଦସ୍ୟଙ୍କର ଅଚାନକ ଇସ୍ତଫା ପରେ ନୂଆ ଟିମରେ କେଉଁମାନଙ୍କୁ ସ୍ଥାନ ମିଳିବ ସେନେଇ ଏବେ ରାଜ୍ୟ ପାୱାର କରିଡରରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ କୌଣସି ପୂର୍ଣ୍ଣକାଳୀନ ମନ୍ତ୍ରୀଙ୍କୁ ଏ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇ ନାହିଁ ।

ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ତେବେ ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ସୁପ୍ରିମୋ ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛନ୍ତି । ତେବେ ନବୀନ ଏବେ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ।

Get real time updates directly on you device, subscribe now.