ସର୍ଭାଇକାଲ୍ ଆର୍ଥରାଇଟିସ୍ର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଦେବୀଙ୍କ ଦାୟିତ୍ବ ଦଳ ଉପରେ ପକାଇବକି ବଡ଼ ପ୍ରଭାବ?
ନବୀନଙ୍କ ଅନୁପସ୍ଥିତିରେ ଦେବୀ ମିଶ୍ରଙ୍କୁ ଗୁରୁଦାୟିତ୍ବ ।
ଭୁବନେଶ୍ବର: ଅସୁସ୍ଥ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ଚିକିତ୍ସା ପାଇଁ ମୁମ୍ବାଇ ଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଏହାରି ଭିତରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ନବୀନ ଅନୁପସ୍ଥିତ ରହିଥିବା ବେଳେ ଦଳର ଦାୟିତ୍ବ କିଏ ନେବ ।
ନବୀନଙ୍କ ଅନୁପସ୍ଥିତିରେ ଦେବୀ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ସୁୁପ୍ରିମୋ ନଥିବା ବେଳେ ବିଜେଡିର ଉପ ସଭାପତି ଦେବୀ ମିଶ୍ର ଦାୟିତ୍ବ ସମ୍ପାଦନ କରିବେ । ତେବେ ଦଳର ନେତାଙ୍କ ଭିତରେ ମତଭେଦ ଦେଖାଯାଉଥିବା ବେଳେ ଦେବୀ ମିଶ୍ରଙ୍କ ଦାୟିତ୍ବ କଣ ପ୍ରଭାବ ପକାଇବ ସେନେଇ ଚର୍ଚ୍ଚା ହେଉଛି ।
ଏହାରି ଭିତରେ ଆଜି ଦେବୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାଲି ଦିନ ୧୦ଟାରେ ମୁମ୍ବାଇ ପାଇଁ ବାହାରିବେ ନବୀନ ପଟ୍ଟନାୟକ । ଅଳ୍ପଦିନ ଚିକିତ୍ସା ପାଇଁ ଯାଇ ଫେରି ଆସିବେ । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମ୍ମାନ ରହିଛି । ତାଙ୍କ ପ୍ରତି ଜଗନ୍ନାଥଙ୍କ କରୁଣା ଅଛି ବୋଲି ମଧ୍ୟ ସେ କହିଛନ୍ତି ।
ଅନ୍ୟପଟେ ଦଳ ଭିତରେ ଅସନ୍ତୁଷ୍ଟକୁ ନେଇ ଦେବୀ ମିଶ୍ର କହିଛନ୍ତି, ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି । ଯେତେବେଳେ ସମସ୍ୟା ହୁଏ ସେତେବେଳେ ସମାଧାନ ହୋଇଯାଏ । ଦଳର ସୁପରିଚାଳନା ପାଇଁ PAC ଗଠନ କରାଯାଇଛି ।