ଭୁବନେଶ୍ୱର: ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ଦିଆଯିବା ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ନବୀନ ପଟ୍ଟନାୟକ ଏକ୍ସରେ ଲେଖିଛନ୍ତି, “ଏନସିଇଆରଟି ପାଠ୍ୟପୁସ୍ତକରୁ ଓଡ଼ିଶାର ପାଇକ ବିଦ୍ରୋହ ବାଦ ଦିଆଯିବା ଜାଣି ଗଭୀର ଉଦ୍ବେଗ ହେଉଛି। ପାଇକ ବିଦ୍ରୋହ ଓଡ଼ିଶାର ଇତିହାସରେ ଏକ ମାଇଲଖୁଣ୍ଟ ମୁହୂର୍ତ୍ତ ଥିଲା, ଯେତେବେଳେ ଆମର ନିର୍ଭୀକ ପାଇକମାନେ ୧୮୧୭ରେ ବ୍ରିଟିଶ ଶାସନର ନିପୀଡ଼ନକାରୀ ନୀତି ବିରୋଧରେ ଅସାଧାରଣ ସାହସିକତା ସହିତ ଲଢ଼ିଥିଲେ। ମୁଁ ଭାରତ ସରକାରଙ୍କୁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ପାଇଁ ଅନେକ ଥର ଅନୁରୋଧ କରିଥିଲି। ପାଇକମାନେ ବିଦେଶୀ ଔପନିବେଶିକ ଶାସନର ଅତ୍ୟାଚାର ବିରୋଧରେ ଅପୂର୍ବ ସାହସିକତା ସହିତ ଏକଜୁଟ ହୋଇ ଲଢ଼ିଥିଲେ।”
ଏହି ବିଷୟକୁ ପାଠ୍ୟପୁସ୍ତକରୁ ବାଦ ଦେବାକୁ ଓଡ଼ିଶାର ନିର୍ଭୀକ ପାଇକ ସୈନିକମାନଙ୍କ ପ୍ରତି ଅସନମ୍ମାନ ବୋଲି ଅଭିହିତ କରି ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପାଇକ ବିଦ୍ରୋହର ଗୌରବମୟ ଉତ୍ତରାଧିକାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପାଠ୍ୟପୁସ୍ତକରେ ଏହାକୁ ପୁନଃସାମିଲ କରିବାକୁ ଅନୁରୋଧ କରିଛନ୍ତି।
ସେ ଆହୁରି ଲେଖିଛନ୍ତି, “ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବେ ଘଟିଥିବା ଏହି ମହାନ ବିଦ୍ରୋହକୁ ଏନସିଇଆରଟି ପାଠ୍ୟପୁସ୍ତକରୁ ବାଦ ଦେବା ଆମର ନିର୍ଭୀକ ପାଇକମାନଙ୍କ ପ୍ରତି ଏକ ବଡ଼ ଅସମ୍ମାନ, ଯାହା ବ୍ରିଟିଶ ଶାସନ ବିରୋଧରେ ଜନଆନ୍ଦୋଳନର ପ୍ରତୀକ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରୁଛି ଯେ ପାଇକ ବିଦ୍ରୋହ ଓ ଓଡ଼ିଶା ପ୍ରତି ନ୍ୟାୟ ପ୍ରଦାନ କରନ୍ତୁ।”
ଏନସିଇଆରଟି ସୋମବାର ଏକ ପ୍ରେସ ବିବୃତି ଜାରି କରି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ “ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟୋଣ୍ଡ”ରେ ବିଭିନ୍ନ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନକୁ ବାଦ ଦେବା ସମ୍ପର୍କିତ ଖବରକୁ ସ୍ପଷ୍ଟୀକରଣ ଦେଇଛି।
ଏନସିଇଆରଟି ଜଣାଇଛି, “ଏହା ସ୍ପଷ୍ଟ କରାଯାଉଛି ଯେ ଉକ୍ତ ପାଠ୍ୟପୁସ୍ତକ ହେଉଛି ଏହି ପୁସ୍ତକର ପ୍ରଥମ ଖଣ୍ଡ। ଦ୍ୱିତୀୟ ଖଣ୍ଡ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଏବଂ ଏହା ୨୦୨୫ ସେପ୍ଟେମ୍ବର-ଅକ୍ଟୋବରରେ ପ୍ରକାଶ ପାଇବାର ଆଶା କରାଯାଉଛି। ଓଡ଼ିଶାର ପାଇକ ବିଦ୍ରୋହ/ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର ଶିଖମାନଙ୍କର କୁକା ଆନ୍ଦୋଳନ/ବିଦ୍ରୋହ ଆଦି ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ/ସଶସ୍ତ୍ର ଉତ୍ଥାନ ସମ୍ପର୍କିତ ବିଷୟଗୁଡ଼ିକ ଏହି ଖଣ୍ଡରେ ସାମିଲ ହେବ।”