ନକ୍ସଲବାଦ ଦେଶର ସୁରକ୍ଷା ପାଇଁ ବିପଦ: ‘ନକ୍ସଲବାଡ଼ି ଆନ୍ଦୋଳନ’ ପାଇଁ ଜନ୍ମ ନେଇଥିଲା ‘ମାଓବାଦ’, ଜାଣନ୍ତୁ ୫୬ ବର୍ଷ ତଳର ଇତିହାସ

ନୂଆଦିଲ୍ଲୀ: ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ସହିଦ ହୋଇଥିଲେ । ଏଥିସହିତ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିଲେ । ତେବେ ଯବାନ ଓ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ଦେଶ ପାଇଁ ଏକ ନୂଆ କଥା ନୁହେଁ । ନକ୍ସଲବାଡ଼ି ଆନ୍ଦୋଳନ ପଛରେ ୫୬ ତଳର ଏକ ବଡ଼ କାହାଣୀ ରହିଛି ।

ପଶ୍ଚିମବଙ୍ଗର ସିଲିଗୁଡ଼ା ଜିଲ୍ଲାରେ ‘ନକ୍ସଲବାଡ଼ି’ ନାମକ ଏକ ଗାଁ ରହିଛି । ଆଜିଠାରୁ ୫୬ ବର୍ଷ ତଳେ ସେଠାରେ ଏପରି ଏକ ଆନ୍ଦୋଳନ ହୋଇଥିଲା, ଯାହାର ପରିଣାମ ସ୍ୱରୂପ ସାରା ଭାରତବର୍ଷରେ ମାଓବାଦ ବ୍ୟାପି ଯାଇଥିଲା । ‘ନକ୍ସଲବାଡ଼ି ଆନ୍ଦୋଳନ’ ସମୟରେ ଆଦିବାସୀ କିଷାନମାନେ ହତିଆର ଉଠାଇଥିଲେ । ସେମାନେ ସମସ୍ତେ ଚୀନର କମ୍ୟୁନିଷ୍ଟ ନେତା ମାଓ ସେ ତୁଙ୍ଗଙ୍କ ବିଚାରଧାରାକୁ ଅନୁସରଣ କରୁଥିଲେ । ତେଣୁ ସେମାନଙ୍କୁ ମାଓବାଦୀ କୁହାଯାଉଥିଲା । ଏହି ଆନ୍ଦୋଳନ ନକ୍ସଲବାଡ଼ିରେ ହୋଇଥିଲା । ତେଣୁ ମାଓବାଦୀଙ୍କୁ ‘ନକ୍ସଲ’ ମଧ୍ୟ କୁହାଯାଉଥିଲା ।

ଗତ ୧୯୬୭ରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସିଷ୍ଟ)ର ନେତାମାନେ ବଡ଼ ବଡ଼ ଜମିଦାରଙ୍କ ବିରୋଧରେ ହତିଆର ଉଠାଇଥିଲେ । ସେଥିରେ ମୁଖ୍ୟତଃ ଚାରୁ ମଜୁମଦାର, କାନୁ ସାନ୍ୟାଲ ଓ ଜଙ୍ଗଲ ସନ୍ଥାଲ ତିନି ପ୍ରକାରର ନେତା ଥିଲେ । ବଡ଼ ବଡ଼ ଜମିଦାରଙ୍କଠାରୁ ଜମି ଛଡ଼ାଇ ଆଣି କୃଷକ ଓ ଭୂମିହୀନ ଶ୍ରମିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସେଥିପାଇଁ ସିଲିଗୁଡ଼ି କିଷାନ ସଭାର ଅଧ୍ୟକ୍ଷ ଗ୍ରାମବାସୀଙ୍କୁ ଏକାଠି କରିବା ଆରମ୍ଭ କରିଥିଲେ । ତେବେ ସଶସ୍ତ୍ର ସଂଘର୍ଷର ଏକ ସପ୍ତାହ ମଧ୍ୟରେ ନକ୍ସଲବାଡ଼ି ନିକଟରେ ବଟାଈଦାରଙ୍କ ହତ୍ୟା କରାଯାଇଥିଲା । ଏହି ଘଟଣା ୧୯୬୭ ମେ ମାସ ୨୪ ତାରିଖରେ ଘଟିଥିଲା ।

ତେବେ କୃଷି ସଂସ୍କାରକୁ ନେଇ ଏହି ନକ୍ସଲ ଆନ୍ଦୋଳନ ହୋଇଥିବା କୁହାଯାଉଥିଲା । ଗରିବ, ବେସାହାରା, ଭୂମିହୀନ କିଷାନଙ୍କୁ ଶୋଷଣ, ଦଳିତ ଓ ଆଦିବାସୀଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ ଆଦି ଘଟଣା ଜନତା ଓ ବାମପନ୍ଥୀ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ତେବେ ସ୍ୱାଧୀନତା ପରେ କୃଷି ସଂସ୍କାର ଆସିବା ପରେ ସରକାର ଜମିଦାରୀ ପ୍ରଥାକୁ ବିଲୋପ କରିଦେଇଥିଲେ । ମାତ୍ର ଜମି ବଣ୍ଟନ ଠିକ୍ ଭାବେ ହୋଇନଥିଲା । ତେଣୁ ନୂଆ କୃଷି ସଂସ୍କାର ନୂଆ ଓ ଧନୀ କିଷାନଙ୍କୁ ଜନ୍ମ ଦେଇଥିଲା ।

କିଛି ଗରିବ କିଷାନ ନିଜ କ୍ଷେତ୍ରରେ ମଜଦୁରୀ କରୁଥିଲେ ହେଁ ନିଜର ଭାଗ ନେଇ ପାରୁନଥିଲେ । ବାସ୍ତବରେ ସେମାନେ ଶ୍ରମିକ ଭାବେ ହିଁ ଖଟୁଥିଲେ । ତେଣୁ ଜମିଦାର ଅମିର ହୋଇଗଲେ ଓ ଭୂମିହୀନ ଶ୍ରମିକ ଖାଇବାକୁ ପାଉନଥିଲେ । ତେବେ ଏହା ମଧ୍ୟରେ କ୍ଷେତ ଉପରେ ନିର୍ଭର କରୁଥିବା ଗରିବଙ୍କ ପ୍ରତିଶତ ୯୫ ପ୍ରତିଶତରୁ ଅଧିକ ହୋଇଯାଇଥିଲା । ତେଣୁ ନକ୍ସଲବାଡ଼ି ଆନ୍ଦୋଳନ କେବଳ ସାମାଜିକ-ଆର୍ଥିକ କ୍ରୋଧ କାରଣରୁ ହୋଇଥିଲା ବୋଲି କୁହାଯାଏ ।

ନକ୍ସଲ ନେତାଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ଥିଲେ ଚାରୁ ମଜୁମଦାରୁ । ସେ ଚୀନର କମ୍ୟୁନିଷ୍ଟ ନେତା ମାଓଙ୍କ ଦ୍ୱାରା ବେଶ ପ୍ରଭାବିତ ଥିଲେ । ମାଓ ଚୀନର ଶୋଷିତ ଜନତାଙ୍କୁ ଏକାଠି କରିବା ନେଇ କାମ କରିଥିବା ବେଳେ ଚାରୁ ସେହି ଆଇଡିଆ ପଶ୍ଚିବଙ୍ଗରେ ଲାଗୁ କରିଥିଲେ । ଫଳରେ ଚାରୁ ବେଳକୁ ବେଳ ଲୋକପ୍ରିୟ ହେବାରେ ଲାଗିଥିଲେ । ପରବର୍ତ୍ତୀ ୪-୫ ବର୍ଷ ମଧ୍ୟରେ ନକ୍ସଲବାଡ଼ି ଆନ୍ଦୋଳନ ସାରା ପଶ୍ଚିମବଙ୍ଗରେ ବ୍ୟାପି ଯାଇଥିଲା । ସାରା ରାଜ୍ୟରେ ‘ଅମାର ବାଡ଼ି’, ‘ତୋମାର ବାଡ଼ି’, ‘ନକ୍ସଲବାଡ଼ି’ ଆଦି ନାରା ଶୁଣିବାକୁ ମିଳିଥିଲା ।

ବାସ୍ତବରେ ସ୍ୱାଧିନତା ପରେ ନକ୍ସଲବାଡ଼ି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା । ମାତ୍ର ସରକାରୀ ଭାବେ ଏହାକୁ ଗୁରୁତ୍ୱ ଦିଆଯାଇନଥିଲା । ୧୯୬୭ ଜୁନରେ ତକ୍ରାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଏ ନେଇ ଲୋକସଭାରେ ତଥ୍ୟ ରଖିଥିଲେ । ଏହାପରେ ସରକାର ଏହା ଉପରେ ଧ୍ୟାନ ଦେଇଥିଲେ । ୨୦୦୮ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମାଓବାଦୀ ହିଂସାକୁ ଦେଶର ଆନ୍ତରିକ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ ବୋଲି କହିଥିଲେ । ଏହାପରେ କେନ୍ଦ୍ର ସରକାର ମାଓବାଦକୁ ହ୍ରାସ ନେଇ ବହୁ ପ୍ରୟାସ କରିଥିଲେ । ଦେଶରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୨୩ ଥିଲା ବୋଲି ୨୦୦୯ରେ ତକ୍ରାଳୀନ ଗୃହମନ୍ତ୍ରୀ ସଂସଦରେ କହିଥିଲେ । ଚଳିତ ବର୍ଷ ୨୧ ମାର୍ଚ୍ଚ ସୁଦ୍ଧା ଦେଶର ୧୦ଟି ରାଜ୍ୟର ୭୦ଟି ଜିଲ୍ଲାରେ ନକ୍ସଲବାଦ ରହିଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଥିଲା ।