NCRB Report: କେଉଁ ରାଜ୍ୟରେ ଘଟୁଛି ବେଶି ଅପରାଧ, ଓଡ଼ିଶାର ସ୍ଥିତି କିପରି ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୨ ମସିହାରେ ସାରା ଦେଶରେ ମୋଟ ୨୮,୫୨୨ଟି ହତ୍ୟା ମାମଲାକୁ ନେଇ ଏଫଆଇଆର ଦାୟର କରାଯାଇଥିଲା । ଏହାର ଅର୍ଥ ହେଉଛି ଦୈନିକ ୭୮ଟି ମାମଲା ଅର୍ଥାତ ପ୍ରତି ଘଣ୍ଟାରେ ୩ରୁ ଅଧିକ ମାମଲା ଦାୟର କରାଯାଇଥିôଲା । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବକ, ୨୦୨୧ରେ ୨୯,୨୭୨, ୨୦୨୦ରେ ୨୯,୧୯୩ଟି ମାମଲା ଦାୟର କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିନରେ କାର୍ଯ୍ୟ କରୁଥିବା ଏନସିଆରବିର ବାର୍ଷିକ ଅପରାଧ ରିପୋର୍ଟରେ ୨୦୨୨ରେ ହତ୍ୟାର ସବୁଠାରୁ ବଡ଼ କାରଣ ‘ବିବାଦ’ ଥିଲା ବୋଲି ଉଲ୍ଲେଖ କରାଯାଇଛି । ଦେଶରେ ୯,୯୬୨ଟି ମାମଲାରେ ହତ୍ୟା ପଛର କାରଣ ‘ବିବାଦ’ ରହିଥିଲା । ଏହାପରେ ୩,୭୬୧ଟି ମାମଲାର କାରଣ ‘ଘରୋଇ ଶତ୍ରୁତା’ ଓ ୧୮୮୪ଟି ମାମଲାର କାରଣ ‘ଲାଭ’ ବୋଲି ଜଣାପଡ଼ିଛି ।

ଦେଶର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ହତ୍ୟା ହାର ୨.୧ ରହିଥିବା ବେଳେ ଏପରି ମାମଲାରେ ଅଭିଯୋଗ ହାର ୮୧.୫ ରହିଥିଲା । ୨୦୨୨ରେ ହତ୍ୟା ମାମଲାରେ ଉତ୍ତରପ୍ରଦେଶରେ ସର୍ବାଧିକ ୩୪୯୧ଟି ପ୍ରାଥମିକ ମାମଲା ଦାୟର ହୋଇଥିବା ବେଳେ ଏହା ପରେ ବିହାରରେ ୨୯୩୦, ମହାରାଷ୍ଟ୍ରରେ ୨୨୯୫, ମଧ୍ୟପ୍ରଦେଶରେ ୧୯୭୯, ରାଜସ୍ଥାନରେ ୧୮୩୪ ରହିଥିଲା । ଏହି ୫ଟି ଶୀର୍ଷ ରାଜ୍ୟରେ ୪୩.୯୨ ପ୍ରତିଶତ ମାମଲା ଦାୟର କରାଯାଇଥିଲା । ଯେଉଁ ରାଜ୍ୟଗୁଡ଼ିକରେ ସବୁଠାରୁ କମ୍ ମାମଲା ଦାୟର କରାଯାଇଥିଲା ସେଗୁଡ଼ିକ ମଧ୍ୟରେ ସିକିମ (୯), ନାଗାଲାଣ୍ଡ (୨୧), ମିଜୋରାମ (୩୧), ଗୋଆ (୪୪), ମଣିପୁର (୪୭) ରହିଥିଲା । କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ୨୦୨୨ରେ ଦିଲ୍ଲୀରେ ସର୍ବାଧିକ ୫୦୯ଟି ହତ୍ୟା ମାମଲା ଦାୟର କରାଯାଇଥିଲା । ଝାଡ଼ଖଣ୍ଡରେ ହତ୍ୟା ହାର ସର୍ବାଧିକ ୪ ପ୍ରତିଶତ ରହିଥିଲା । ଏହାପରେ ଅରୁଣାଚଳ ପଦେଶରେ ୩.୬, ଛତିଶଗଡ଼ ଓ ହରିୟାଣାରେ ୩.୪, ଆସାମରେ ୩ ଓ ଓଡ଼ିଶାରେ ୩ ପ୍ରତିଶତ ରହିଥିଲା । ହତ୍ୟା ସମ୍ବନ୍ଧୀୟ ମାମଲାର ପୀଡ଼ିତଙ୍କ ମଧ୍ୟରେ ୮,୧୨୫ ମହିଳା ଓ ୯ ତୃତୀୟ ଲିଙ୍ଗୀ ରହିଥିବା ବେଳେ ପାଖାପାଖି ୭୦ ପ୍ରତିଶତ ପୀଡ଼ିତ ପୁରୁଷ ଥିଲେ ।