ନୂଆଦିଲ୍ଲୀ: ଯଦି ଆପଣ କୌଣସି ବିଦେଶୀ ପ୍ରତିଷ୍ଠାନରୁ ଏମବିବିଏସ କରିବାକୁ ଭାବୁଛନ୍ତି, ତେବେ ଏବେ ଆପଣଙ୍କୁ ପ୍ରଥମେ ଜିଟ୍ ୟୁଜି ପରୀକ୍ଷା ପାସ୍ କରିବାକୁ ପଡିବ, ତା’ପରେ ହିଁ ଆପଣ ବିଦେଶରୁ ଏମବିବିଏସ କରିପାରିବେ । ଏବେ ନିଟ୍ ପରୀକ୍ଷା ପାସ୍ ନକରି ବିଦେଶୀ ମେଡିକାଲ କଲେଜରେ ପ୍ରବେଶ ପାଇବେ ନାହିଁ ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ବିଦେଶରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନିଟ୍ ୟୁଜି ପରୀକ୍ଷାର ବୈଧତାକୁ ସମର୍ଥନ କରିଛନ୍ତି, ଯାହା ପରେ ଏବେ ବିଦେଶରୁ ଏମବିବିଏସ ପଢ଼ୁଥିବା ଲୋକଙ୍କ ପାଇଁ ବିଦେଶୀ ଡାକ୍ତରୀ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ନିଟ୍ ୟୁଜି ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ ହେବ ।
ଏମସିଆଇର ନିୟମ:
ପ୍ରକୃତରେ, ଭାରତୀୟ ମେଡିକାଲ ପରିଷଦ (ଏମସିଆଇ) ଏକ ନିୟମ କରିଛି, ଯାହା ଅନୁଯାୟୀ ଯେକୌଣସି ଭାରତୀୟ ଛାତ୍ରଙ୍କୁ ବିଦେଶୀ ପ୍ରତିଷ୍ଠାନରୁ ଏମବିବିଏସ ପଢ଼ିବା ପାଇଁ ନିଟ୍ ପରୀକ୍ଷା ପାସ୍ କରିବା ବାଧ୍ୟତାମୂଳକ ହେବ । ଏମସିଆଇର ଏହି ନିୟମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏବେ ଭାରତୀୟ ମେଡିକାଲ ପରିଷଦ (ଏମସିଆଇ)ର ସେହି ନିୟମକୁ ପରିବର୍ତ୍ତନ କରିବାକୁ ମନା କରିଦେଇଛନ୍ତି ଏବଂ ଏହି ନିୟମକୁ ସେହିପରି ରଖିଛନ୍ତି ।
ଏବେ ଭାରତୀୟ ଛାତ୍ରଛାତ୍ରୀମାନେ ଯେକୌଣସି ଦେଶର ଯେକୌଣସି ମେଡିକାଲ୍ କଲେଜରୁ ଏମବିବିଏସ କରିବା ପାଇଁ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍) ପାସ୍ କରିବା ବାଧ୍ୟତାମୂଳକ ହେବ । ୨୦୧୮ ମସିହାର ଏମସିଆଇ ନିୟମ ଅନୁଯାୟୀ, ବିଦେଶରେ ଡାକ୍ତରୀ ପାଠପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରୀ ଅଭ୍ୟାସ କରିବା ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ପଡିବ ।
ସୁପ୍ରିମକୋର୍ଟ କ’ଣ କହିଲେ?
ଏହି ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏମସିଆଇର ଏହି ନିୟମକୁ ନିରପେକ୍ଷ ଏବଂ ସ୍ୱଚ୍ଛ ବୋଲି କହିଥିଲେ ଏବଂ କହିଥିଲେ ଯେ, ଏହି ନିୟମ କୌଣସି ବୈଧାନିକ ବ୍ୟବସ୍ଥା ସହିତ ବିରୋଧାଭାସ କରେ ନାହିଁ । ଜଷ୍ଟିସ୍ ବି. ଆର. ଗାୱାଇ ଏବଂ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।