fbpx

ଜୁଲାଇ ୧୭ରେ NEET(ୟୁଜି): ୧୩ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: NEET (ୟୁଜି)-୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ’ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଓଡ଼ିଆ ସମେତ ୧୩ଟି ଭାଷାରେ ଚଳିତ ବର୍ଷର NEET ପରୀକ୍ଷା ହେବ । ଗତବର୍ଷ ପରି ଏଥର ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୨ ଜୁଲାଇ ୧୭ ତାରିଖରେ ପରୀକ୍ଷା ନେଇ ଏନଟିଏ ସୂଚନା ଦେଇଛି ।

ତେବେ ଦେଶ ବାହାରେ ୧୪ଟି କେନ୍ଦ୍ର ସହ ମୋଟ ୫୪୩ଟି ସହରରେ NEET ପରୀକ୍ଷା ହେବ । ଆବୁଧାବି, ବ୍ୟାଙ୍କଙ୍କ୍‌, କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍‌ ସହର, ଲା ଗୋସ୍‌, ମାନାମା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ। ଯାହାକି ମେ’ ୬ ପର୍ଯ୍ୟନ୍ତ ଚାଲିବ।

ଏହା ସହ ମେ’ ୭ ତାରିଖ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଜଣେ ଆବେଦନକାରୀ କେବଳ ଗୋଟିଏ ଆବେଦନ କରିପାରିବେ। ତେଣୁ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଏନଟିଏ ୱେବସାଇଟରେ ଥିବା ଇନଫରମେସନ ବୁଲେଟିନକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଆବେଦନପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍‌ ଆଇଡି ଓ ମୋବାଇଲ୍‌ ନମ୍ବର ଲେଖିବା ନିହାତି ଆବଶ୍ୟକ।

Get real time updates directly on you device, subscribe now.