fbpx

‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଆମକୁ ସ୍ଵୀକାର କରିବାକୁ ପଡୁଛି’

AAKASH

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ଦୁଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଖତା କାରଣରୁ ଭାରତକୁ ସ୍ଵୀକାର କରିବାକୁ ପଡୁଛି ଯେ, ତିବ୍ବତ ଏବଂ ତାଇଓ୍ଵାନ ଚୀନର।

ସେ କହିଛନ୍ତି ବର୍ତ୍ତମାନ ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ସମ୍ମାନ ମଧ୍ୟ କରୁ ନାହିଁ। ଲଦାଖର କିଛି ଅଂଶ କବଜା ମଧ୍ୟ କରି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି, ଯେଉଁଠି ଚୀନ ଲଦାଖର କିଛି ଅଂଶ ହଡପ କରି ନେଇଛି, ସେଠି ଆମର ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଲଦାଖ ସୀମାକୁ କେହି ଆସି ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ବୟାନ ଶୁଣିଲେ ସ୍ତବ୍ଧ ଲାଗୁଛି।

ସେ ଏହା ମଧ୍ୟ କହିଛନ୍ତି, ଆମେ ଭାରତୀୟ ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନକୁ ଚୀନର ଅଂଶ ବୋଲି ସ୍ଵୀକାର କରୁଛନ୍ତି। ବର୍ତ୍ତମାନର ସରକାର ମଧ୍ୟ ଚେତୁ ନାହାନ୍ତି। ଚୀନ ଏଲଏସିରେ ଧିରେ ଧିରେ ଅତିକ୍ରମଣ କରିବାକୁ ଚେଷ୍ଟା କରି ଚାଲିଛି। ଚୀନ ଦ୍ଵାରା ବାରମ୍ବାର ଚେତାବନୀ ସତ୍ତ୍ଵେ ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନ ଯାତ୍ରା ମଧ୍ୟରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ଏହି ବୟାନ ସାମ୍ନାକୁ ଆସିଛି।

ନାନ୍ସି ପେଲୋସି ଚୀନର ସମସ୍ତ ପ୍ରକାରର ଧମକକୁ ଖାତିର ନକରି ତାଇଓ୍ଵାନରେ ପହଞ୍ଚି ସାରିଛନ୍ତି। ଏହାକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଯାଇଛି। ଆମେରିକା ବିରୋଧରେ ସାମରିକ କାର‌୍ୟ୍ୟାନୁଷ୍ଠାନ ନେବାକୁ ଧମକ ଦେଉଛି ଚୀନ। ଏହି ପ୍ରସଙ୍ଗରେ ଚୀନ ସମର୍ଥନରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି ରୁଷ ଏବଂ ଉତ୍ତର କୋରିଆ। ଗୋଟିଏ ପଟେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ଦୁନିଆକୁ ଆଉ ଏକ ଯୁଦ୍ଧର ଆଶଙ୍କାକୁ ଠେଲି ଦେଇଛି।

Get real time updates directly on you device, subscribe now.