fbpx
BSKY
BJD MC SKY
BJD YOUTH SKY

ଯୁଦ୍ଧ ମୁହାଁ ଦୁନିଆ: ଚୀନ ସମର୍ଥନରେ ଆସିଲେ ରୁଷ-ଉତ୍ତର କେରିଆ, ଜାଣନ୍ତୁ ତାଇଓ୍ଵାନ ସପକ୍ଷରେ କିଏ କିଏ ?

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆକୁ ଦୁଇ ଭାଗରେ ବାଣ୍ଟି ସାରିଥିବା ବେଳେ ଏବେ ତାଇଓ୍ଵାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ଦୁନିଆକୁ ଦୁଇ ଭାଗ କରିଛି। ରୁଷ ଆକ୍ରମଣରେ ୟୁକ୍ରେନ ଧ୍ଵଂସ ହୋଇ ସାରିଛି। ଯୁଦ୍ଧର ବ୍ୟାପକ ପ୍ରଭାବର ପରିଣାମ ଦୁନିଆକୁ ଭୋଗିବାକୁ ପଡୁଛି। ଗୋଟିଏ ଯୁଦ୍ଧର ତାଣ୍ଡବଲୀଳା ନସରୁରୁଣ ତାଇଓ୍ଵାନକୁ ନେଇ ଦୁନିଆ ଆଉ ଏକ ଯୁଦ୍ଧ ମୁହାଣରେ ଯାଇ ପହଞ୍ଚି ଯାଇଛି।

ଚୀନର ସମସ୍ତ ପ୍ରକାରର ଧମକକୁ ଭ୍ରୁକ୍ଷେପ ନକରି ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସିର ତାଇଓ୍ଵାନର ରାଜଧାନୀ ତାଇପେ ପହଞ୍ଚି ସାରିଛନ୍ତି। ଅନ୍ୟପଟେ ମଙ୍ଗଳବାର ରାତିରେ ଚୀନ ଆମେରିକାର ରାଷ୍ଟ୍ରଦୂତ ନିକୋଲାସ ବର୍ଣ୍ଣ୍ସଙ୍କୁ ତଲବ କରି ପୁଣି ଥରେ ଧମକ ଦେଇଛି। ଚୀନର ଉପ ବୈଦେଶିକ ମନ୍ତ୍ରୀ ଝାଇ ସେଙ୍ଗ ଧମକ ଦେଇ କହିଛନ୍ତି, ଆମେରିକାକୁ ନିଜ ଭୁଲର ପରିଣାମ ଭୋଗିବାକୁ ପଡିବ। ସେଙ୍ଗ କହିଛନ୍ତି, ଆମେରିକାକୁ ତାଇଓ୍ଵାନ କାର୍ଡ ଖେଳିବା ବନ୍ଦ କରିଦେବା ଉଚିତ୍। ଭଲ ହେବ ଆମେରିକା ଚୀନର ଆଭ୍ୟନ୍ତୀଣ ମାମଲାରେ ଦଖଲ ନଦେଉ। ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। କାରଣ ଚୀନ ଚୁପ୍ ହୋଇ ବସିବ ନାହିଁ।

ଆମେରିକାର କହିବା କଥା ଓ୍ଵାନ ଚାଇନା ପଲିସକୁ ନେଇ ତାର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଆମେରିକାର ଜାତୀୟ ସୁରକ୍ଷା ସଂଯୋଜକ ଜନ କେବି କହିଛନ୍ତି ଓ୍ଵାନ ଚାଇନା ପଲିସିରେ ଆମ ନୀତିରେ କୌଣସି ପରିବର୍ତ୍ତନ ଘଟିନି। ଆମେ ତାଇଓ୍ଵାନ ଚୀନର ବୋଲି ସମର୍ଥନ କରୁନାହିଁ।

ତାଇଓ୍ଵାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ଦୁନିଆକୁ ପୁଣି ଥରେ ଦୁଇ ଭାଗ କରିଛି। ଉତ୍ତର କେରିଆ ଏବଂ ରୁଷ ଚୀନର ଖୋଲା ସମର୍ଥନ କରିଛନ୍ତି। ଅନ୍ୟପଟେ ଆମେରିକା ତାଇଓ୍ଵାନ ସହିତ ଛିଡା ହୋଇ ରହିଛି। ପେଲୋସି କହିଛନ୍ତି, ତାଇଓ୍ଵାନର ସୁରକ୍ଷା ଏବଂ ଅର୍ଥବ୍ୟବସ୍ଥାକୁ ଆମେରିକା ସମର୍ଥନ କରି ଆସିଛି।

ତାଇଓ୍ଵାନ ସହିତ କିଏ କିଏ ଅଛନ୍ତି

ତାଇଓ୍ଵାନ ସହିତ ଏ ପର‌୍ୟ୍ୟନ୍ତ ଖୋଲାଖୋଲି ଭାବେ ଆମେରିକା ରହିଛି। ମେ ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଥିଲେ ଯେ, ତାଇଓ୍ଵାନ ଉପରେ ଚୀନ ଆକ୍ରମଣ କଲେ ଆମେରିକା ଏହାର ସୈନ୍ୟ ପଠାଇବ। ଆମେରିକା ବ୍ୟତୀତ ବ୍ରିଟେନ୍ ମଧ୍ୟ ତାଇଓ୍ଵାନର ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏପରିକି ନଭେମ୍ବରରେ ବ୍ରିଟେନର ସାଂସଦ ତାଇଓ୍ଵାନ ଗସ୍ତ କରି ପାରନ୍ତି।

ତାଇଓ୍ଵାନ ୧୯୪୯ରୁ ନିଜକୁ ସ୍ଵାଧୀନ ଦେଶ ଭାବେ ମାନି ଆସିଛି। ମାତ୍ର ଏ ପର‌୍ୟ୍ୟନ୍ତ ଦୁନିଆର ୧୪ଟି ଦେଶ ହିଁ ତାକୁ ସ୍ଵାଧୀନ ଦେଶର ମାନ୍ୟତା ଦେଇଛନ୍ତି। ଏଥିସହ ତାଇଓ୍ଵାନ ସହ କୂଟନୈତିକ ସଂପର୍କ ମଧ୍ୟ ରଖିଛନ୍ତି।

ତାଇଓ୍ଵାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଅଦ୍ୟାବଧି ମାର୍ଶଲ ଦ୍ଵୀପ, ନାଉରୁ, ପଲାଉ, ତୁଭାଲୁ, ଇସ୍ଵାନୀତି, ହୋଲି ସି, ବେଲିଜ, ଗ୍ଵାଟେମାଲା, ହାଇତି, ହୋଣ୍ଡୁରାସ, ପାରାଗୁଏ, ସେଣ୍ଟ ଲୁସିଆ, ଫେଡେରେସନ ଅଫ ସେଣ୍ଟ କ୍ରିଷ୍ଟୋଫର ଆଣ୍ଡ ନେଭିସ୍ ଏବଂ ଗ୍ରେନାଡାଇନ୍ସ ସହିତ କୂଟନୈତିକ ସଂପର୍କ ରହିଛି।

ଭାରତ କାହା ସପକ୍ଷରେ ଯିବ ?

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଥିଲା। ଭାରତ ନା ୟୁକ୍ରେନକୁ ଖୋଲାଖୋଲି ସମର୍ଥନ କରିଥିଲା ନା ରୁଷକୁ। ଭାରତ ସର୍ବଦା କହି ଆସିଛି ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯଦି ତାଇଓ୍ଵାନ ଏବଂ ଚୀନ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ଉପୁଜେ ତେବେ ଭାରତ ନିରବ ରହିପାରେ। ଏହାର ବଡ କାରଣ ଭାରତ ତାଇଓ୍ଵାନ ସହିତ କୂଟନୈତିକ ସଂପର୍କ ନାହିଁ ଏବଂ ଭାରତ ଓ୍ଵାନ ଚାଇନା ପଲିସିକୁ ସମର୍ଥନ କରିଥାଏ।

 

Get real time updates directly on you device, subscribe now.