fbpx

କାହାଣୀ ମଧ୍ୟକୁ ଏଣ୍ଟ୍ରି କଲେ ପ୍ରିୟଦର୍ଶିନୀଙ୍କ ଆଉ ଜଣେ ବୟଫ୍ରେଣ୍ଡ, ପୋଲିସକୁ ମିଳିଲା ପ୍ରମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଭୀମଟାଙ୍ଗୀର ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି ମର୍ଡର କେସରେ ଏକ ନୂଆ ଟ୍ୱିଷ୍ଟ ସାମନାକୁ ଆସିଛି । ରିଙ୍କିଙ୍କର କୁଆଡ଼େ ଆଉ ଜଣେ ଯୁବକଙ୍କ ସହ ସହ ସମ୍ପର୍କ ରହିଥିଲା । ଆଉ ସେ ଯୁବକଙ୍କ ସହିତ ପ୍ରିୟଦର୍ଶିନୀ ଅଧିକାଂଶ ସମୟରେ କଥାବାର୍ତ୍ତା ହେଉଥିଲେ ବୋଲି ରିଙ୍କିଙ୍କ ବୟଫ୍ରେଣ୍ଡ ଜଗନ୍ନାଥ ପ୍ରଧାନ ପ୍ରମାଣ ପାଇଥିଲେ । ତେଣୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଜଗନ୍ନାଥ । ତେବେ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଜଗନ୍ନାଥ ଓ ରିଙ୍କିଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ତେଣୁ ରିଙ୍କି ଓ ତାଙ୍କର ୩ ବର୍ଷର ପୁଅକୁ ଜୀବନରେ ମାରିଦେବାକୁ ଜଗନ୍ନାଥ ଯୋଜନା କରିଥିଲେ ।

ପୋଲିସ ତଥ୍ୟ ଅନୁଯାୟୀ, ହତ୍ୟା କରିବା ପରେ ଜଗନ୍ନାଥ ମୃତ ରିଙ୍କିଙ୍କର ସ୍ୱାମୀ ରାକେଶ ସାହୁଙ୍କୁ ଭିଡିଓ କଲ କରିଥିଲା । ଭିଡିଓ କଲରେ ରାକେଶ ପତ୍ନୀଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖିବାକୁ ପରେ ଘର ମାଲିକଙ୍କୁ ଏନେଇ ଅବଗତ କରାଇଥିଲେ । ରାକେଶଙ୍କ ସହ ବିବାହ ପରେ ମଧ୍ୟ ରିଙ୍କି ଓ ଜଗନ୍ନାଥ ସମ୍ପର୍କରେ ଥିଲେ ବୋଲି ଜଗନ୍ନାଥଙ୍କ ମାଆ ସାବିତ୍ରୀ ବୟାନ ଦେଇଥିଲେ । ବିବାହ ପରେ ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲେ ହେଁ ଲକଡାଉନ ସମୟରେ ଜଗନ୍ନାଥ ଓ ରିଙ୍କି ପୁଣି ଥରେ ନିକଟତର ହୋଇଥିଲେ । ତେବେ ଇତିମଧ୍ୟରେ ଜଗନ୍ନାଥ ଓ ରିଙ୍କିଙ୍କ ପରିବାରବର୍ଗଙ୍କୁ ପୋଲିସ ପଚରାଉଚରା କରିଛି । ରିଙ୍କିଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥ ଏବେ ଆଇସିୟୁରେ ରହିଥିବାରୁ ତାଙ୍କୁ ସୁସ୍ଥ ହେବାକୁ ଆଉ କିଛିଦିନ ସମୟ ଲାଗିବ । ପୋଲିସ ହାତରେ କିଛି ବଳିଷ୍ଠ ପ୍ରମାଣ ଲାଗିଥିବାରୁ ଜଗନ୍ନାଥ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ । ଏହାପରେ ଏହି ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ । ରିଙ୍କିଙ୍କର ହତ୍ୟା ପଛରେ ନୂଆ ବୟଫ୍ରେଣ୍ଡଙ୍କର ଭୂମିକା କ’ଣ ଥିଲା ତାହା ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.