fbpx

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ‘ବି.୧.୧.୧.୫୨୯’ ଚିହ୍ନଟ, ସତର୍କ ରହିବା ସହ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପୁଣି ଚିନ୍ତା ବଢ଼ାଇବାରେ ଲାଗିଛି ମହାମାରୀ କରୋନା ଭାଇରସ୍‌ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ସମ୍ପର୍କରେ  ସୂଚନା ମିଳିବା ପରେ ଏହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନାର ଏହି ଭାରିଏଣ୍ଟର ନାମ ବି.୧.୧.୧.୫୨୯ ରହିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଭାରିଏଣ୍ଟ ବାରମ୍ବାର ନୂଆ ମ୍ୟୁଟେସନ୍‌ ସୃଷ୍ଟି କରିବାରେ ସଫଳ ହେଉଛି ।

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଏଣ୍ଟ ଆକ୍ରାନ୍ତଙ୍କ ମଧ୍ୟରେ କେତେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି । ସେମାନେ ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । ତେଣୁ ଏହି ନୂଆ ଭାରିଏଣ୍ଟ ଅନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖି ସତର୍କ ରହିବା ଏବଂ ଟେଷ୍ଟିଂ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି । କେତେକ ରାଜ୍ୟରେ ପୁଣି ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ବୋଲି ଦର୍ଶାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷର ଏହି ଚିଠି ଲେଖିଛନ୍ତି ।

ଅନ୍ୟପଟେ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ଲକ୍ଷ୍ୟ କରାଯାଉଛି । ଏହି ଘଟଣାରେ ପ୍ରତିକ୍ରିୟା ରଖି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଲକ୍ଷଣ ବଦଳାଉଛି କରୋନା । କେବଳ ଅଧିକ ଜ୍ୱର କିମ୍ବା ବିନ୍ଧା ଛିଟିକା ନୁହେଁ, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଏବେ ରାଜ୍ୟରେ ପ୍ରାୟତଃ ଅଧିକାଂଶ ସ୍କୁଲ, କଲେଜ ଖୋଲି ସାରିଲାଣି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଛନ୍ତି । ଏପରି ସ୍ଥିତିରେ ଧିରେ ଧିରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ । ବୁର୍ଲା ଭିମସାର ମେଡିକାଲ କଲେଜର ୫୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ମହାମାରୀ ଦ୍ୱାରା କବଳିତ ହୋଇଛନ୍ତି । ଏହାକୁ ନେଇ ନିଜ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏପରି ଚିନ୍ତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି ।

ଏଥିସହ ସେ କହିଛନ୍ତି, ସୁନ୍ଦରଗଡ ଓ ବୁର୍ଲାରେ ହୋଇଥିବା ସଂକ୍ରମଣ ସେପରି କିଛି ସାଂଘାତିକ ସ୍ଥିତିକୁ ଯାଇନି । କେବଳ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି । ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟଙ୍କ ଠାରେ ସିଭିଆରଟି କମ୍‌ ରହିଛି, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି । ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ହଷ୍ଟେଲରେ ସ୍ୱତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ୪ ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାବାଦ ସେ କହିଛନ୍ତି, ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶରେ ସଂକ୍ରମିତ ହୋଇଛନ୍ତି, ତେବେ ସ୍କୁଲ ନ ଯିବା ଭଲ । ଏଥିସହ ତୁରନ୍ତ ନିଜର ଟେଷ୍ଟ କରାଇ ନେବା ଭଲ । ଲକ୍ଷଣ କମ୍‌ ଥିଲେ ବି ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ । ଏହାକୁ ହେୟଜ୍ଞାନ କଲେ, ପରେ ହଇରାଣରେ ପଡ଼ିବେ । ଯାହାର କିଛି ବି ଲକ୍ଷଣ ଦେଖାଦେଉଛି, ଟେଷ୍ଟ କରାଇ ନିଅନ୍ତୁ । ଟେଷ୍ଟର ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ଖବର ଦିଅନ୍ତୁ । ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ସ୍ଥିତି ଉପରେ ନଜର ରଖି ରିପୋର୍ଟ ଦେଉଛନ୍ତି ।

Get real time updates directly on you device, subscribe now.