fbpx

ମାଗଣା ଗୋରୁ ହାଟ ଖୋଲୁଛି ପ୍ରଶାସନ: ବୁଲା ଗାଇଗୋରୁଙ୍କୁ ଥଇଥାନ କରିବା ପାଇଁ ନୂଆ ପ୍ରୟାସ

ବଲାଙ୍ଗୀର: ବୁଲା ଗାଈ ଗୋରୁଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ, ବଲାଙ୍ଗୀରରୁ ଆସିଲା ମାନବିକତାର ଆଉ ଏକ ବଡ ଉଦାହରଣ । ମହଙ୍ଗା ଯୁଗରେ ମାଗଣା ଗୋରୁ ଗାଈ ହାଟ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । କିନ୍ତୁ ଏହି ଘଟଣାଟି ଏକଦମ୍ ସତ । ବଲାଙ୍ଗୀର ସହର ମଧ୍ୟରେ ଗତ କିଛି ଦିନ ହେଲା ଏପରି ଗୋରୁ ଗାଈ ହାଟ ବସୁଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀଙ୍କୁ ଡକାଇ ଗୋରୁ ଗାଈ ପ୍ରଦାନ କରାଯାଉଛି ।

ସୂଚନା ଅନୁସାରେ, ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ହଜାର ହଜାର ବୁଲା ଗୋରୁ । କିଛି ତ ବୁଲା ଗୋରୁ ଅଛନ୍ତି, ଆଉ କିଛି ଲୋକ ଗାଈଠାରୁ କ୍ଷୀର ଦୁଇଁ ରାସ୍ତାରେ ଛାଡି ଦେଉଛନ୍ତି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଦୁର୍ଗଟଣାର କାରଣ ପାଲଟିତିବା ଏହି ବୁଲା ଗୋରୁମାନଙ୍କୁ ଥଇଥାନ କରିବା ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବି ହୋଇ ଆସୁଥିଲା । ସହର ଭିତରେ କାଞ୍ଜି ହାଉସ ନ ଥିବାରୁ ବୁଲା ଗୋରୁ ଗାଈଙ୍କୁ ଥଇଥାନ କରିପାରୁନଥିଲା ପୌରସଂସ୍ଥା । ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପୌରସଂସ୍ଥା, ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି ।

ବୁଲା ଗୋରୁ ଗାଈଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ । ସହର ଭିତରେ ବୁଲୁଥିବା ଗୋରୁ ଗାଈଙ୍କୁ କାବୁ କରି କୋସଳ କଳାମଣ୍ଡଳ ପଡିଆକୁ ଅଣାଯାଉଛି । ଏହାପରେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଡକାଯାଇ, ସେମାନଙ୍କଠାରୁ ସବିଶେଷ ବିବରଣୀ ଲେଖାଯାଉଛି ଏବଂ ମାଗଣାରେ ଚାଷୀଙ୍କୁ ବୁଲା ଗୋରୁ ଗାଈ ମାନଙ୍କୁ ହସ୍ତାନ୍ତର କରୁଛି ପ୍ରଶାସନ । ଚାଷୀମାନେ ମଧ୍ୟ ଗୋରୁଙ୍କ ସେବା ଯତ୍ନ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ଗତ କିଛିଦିନ ଭିତରେ ୧୦୦ରୁ ଅଧିକ ଗାଈ ମାଗଣାରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.