fbpx

ମମିତା ହତ୍ୟା ମାମଲାରେ ପିତାଙ୍କ ସାଙ୍ଘାତିକ ତଥ୍ୟ, କହିଲେ- ଗୋବିନ୍ଦ ଲେଖାଇଥିଲା ଏତଲା!

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମମିତା ନିଖୋଜ ନେଇ ଗୋବିନ୍ଦ ଏତଲା ଲେଖାଇଥିବା କହିଛନ୍ତି ମମିତାଙ୍କ ବାପା । ସେ କହିଛନ୍ତି ଯେ, ‘ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ । ସେଠାରେ ଗୋବିନ୍ଦ ସାହୁ ଥିଲେ । ଆମ ଏତଲା ସେ ଲେଖାଇଲେ । ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଏତଲା ଲେଖାଇଲେ । ଏତଲା ଲେଖା ସରିବା ପରେ ମୁଁ ନପଢ଼ି ସେଥିରେ ଦସ୍ତଖତ କଲି ।’

ଏହା ସହ ମମିତାଙ୍କ ବାପା କହିଛନ୍ତି ଯେ, ‘ଆମେ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଲେ । ଗୋବିନ୍ଦ ଥାନାରେ ପହଞ୍ଚିବାର ୧୦ ମିନିଟ ପରେ ଆମେ ପହଞ୍ଚିଲୁ । ଗୋବିନ୍ଦ ସାହୁ ଥାନା ବାବୁଙ୍କ ସହ କ’ଣ କଥା ହୋଇଥିଲା କେଜାଣି, ଯାହା ଫଳରେ ଆମେ ସେଠି ପହଞ୍ଚିଲା ବେଳକୁ ଥାନାବାବୁ ଆମ ଏତଲା ରଖିଲେନି । ତୁମ ଥାନା ତୁରେକେଲା ଯାଅ ବୋଲି ଆମକୁ ସଫା ସଫା ଶୁଣାଇଲେ ।’

ତେବେ ମମିତା ମେହେର ହତ୍ୟାକାଣ୍ଡରେ କେବଳ ଦୁଇ ଜଣ ହିଁ ଦୋଷୀ, ଯେଉଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ମମିତା ମେହେରଙ୍କ ମୃତଦେହକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ଚେଷ୍ଟା କରାଯାଉଛି ବୋଲି ଡିଆଇଜି କହିଛନ୍ତି । ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ଆଗରେ ସବୁ ଦୋଷ ସ୍ୱୀକାର କରିଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତ ରାଧେଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.