fbpx

‘ଚୋକର’ ନ୍ୟୁଜିଲାଣ୍ଡ ସାମ୍ନାରେ ନକ୍ଆଉଟ ବାଧା; ବଢୁଛି ବିରାଟ ବାହିନୀଙ୍କ ସେମି ଆଶା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଫର୍ମକୁ ଫେରିଥିଲେ ହେଁ ଦଳର ସେମି ଫାଇନାଲ ବର୍ଥ ଏଯାଏଁ ସୁରକ୍ଷିତ ହୋଇ ନାହିଁ । ଅନ୍ତିମ-୪ରେ ସାମିଲ ହେବା ପାଇଁ ବିରାଟ ବାହିନୀକୁ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମୁକାବିଲାର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ତେବେ ନ୍ୟୁଜିଲାଣ୍ଡ ଦଳର ନକଆଉଟ ପ୍ରଦର୍ଶନକୁ ନଜରରେ ରଖିଲେ ଭାରତର ସେମି ପ୍ରବେଶ ସହଜ ମନେ ହେଉଛି । ଅନେକ ସମୟରେ ନ୍ୟୁଜିଲାଣ୍ଡ ଚାପର ବଶବର୍ତ୍ତୀ ହୋଇ ଖରାପ ପ୍ରଦର୍ଶନ କରିଥାଏ । ଏକାଧିକ ବଡ ମ୍ୟାଚରେ ନ୍ୟୁଜିଲାଣ୍ଡ ଖରାପ ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ଫ୍ୟାନଙ୍କୁ ଏହା ଉତ୍ସାହିତ କରିଛି । ଆବୁଧାବିର ସ୍ପିନିଂ ଟ୍ରାକରେ ଆଫଗାନୀ ସ୍ପିନର ନ୍ୟୁଜିଲାଣ୍ଡକୁ ଜାଲରେ ଫସାଇବାରେ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ ।

ଅତୀତର ରେକର୍ଡ ଉପରେ ନଜର ପକାଇଲେ ନ୍ୟୁଜିଲାଣ୍ଡ ଏକାଧିକ ବଡ ମୁକାବିଲାରେ ଚାପର ବଶବର୍ତ୍ତୀ ହୋଇ ହାରିଥିବାର ନଜିର ରହିଛି । ଏକାଧିକ ଫାଇନାଲ ଓ ସେମି ଫାଇନାଲ ହାରିବା ସହିତ ଦଳକୁ ଚୋକର୍ ଆଖ୍ୟା ମଧ୍ୟ ମିଳିସାରିଛି । ୨୦୦୭ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ସେମି ଫାଇନାଲ ଓ ୨୦୧୬ରେ ଇଂଲଣ୍ଡ ବିପକ୍ଷ ସେମିରେ ପରାଜୟ ଭୋଗିଥିଲା କିୱି ଦଳ । ୨୦୧୯ରେ ୫୦ ଓଭର ବିଶ୍ୱକପରେ ମଧ୍ୟ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା ଦଳ । ଏହା ପୂର୍ବରୁ ୨୦୧୫ରେ ମଧ୍ୟ ଦଳ ସମାନ ପରିଣାମ ହାସଲ କରିଥିଲା । ବିଗତ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ୪୪ଟି ନକଆଉଟ ମୁକାବିଲା ଖେଳିଥିବା ବେଳେ ଏଥି ମଧ୍ୟରୁ ମାତ୍ର ୧୩ଟିରେ ବିଜୟୀ ହୋଇଛି । ଦଳର ପରାଜୟ ହାର ୬୮ ପ୍ରତିଶତ ରହିଛି । ଏପରି ପରସ୍ଥିତିରେ ଏହି ରେକର୍ଡ ବିରାଟ ବାହିନୀଙ୍କ ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି ।

Get real time updates directly on you device, subscribe now.