fbpx

ଆସନ୍ତା ୨୫ରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍, ରାହାଣେଙ୍କ ପାଇଁ ବଡ଼ ଚାଲେଞ୍ଜ

କାନପୁର: ଆସନ୍ତା ୨୫ ତାରିଖରୁ ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ । ଅଧିନାୟକ ବିରାଟ କୋହଲିଙ୍କ ସହିତ ଟି-୨୦ ଅଧିନାୟକ ରୋହିତ ଶର୍ମା ଓ ୱିକେଟ କିପର ରିଷଭ ପନ୍ତ ପ୍ରମୁଖ ଏହି ମ୍ୟାଚ ଖେଳିବେ ନାହିଁ । କାରଣ ଆଗକୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପାଇଁ ଥିବାରୁ ଏକାଧିକ ସିନିୟର ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ । ତେଣୁ ପ୍ରମୁଖ ଖେଳାଳିଙ୍କ ଅନୁସ୍ଥିତିରେ ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମୁକାବିଲା କରିବା ବହୁତ ବଡ ଚାଲେଞ୍ଜ ।

ଅବଶ୍ୟ କୋହଲିଙ୍କ ଅନୁଉପସ୍ଥିତିରେ ରାହାଣେ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନିଜର ଅଧିନାୟକତ୍ୱ ଦକ୍ଷତା ଦେଖାଇ ହାସଲ କରିଥିଲେ ଐତିହାସିକ ବିଜୟ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେହି ସଫଳତା ପୁନରାବୃତ୍ତି କରି ପାରିବେ ବୋଲି ଅନୁମାନ । ତେବେ ଭାରତୀୟ ଦଳର ମ୍ୟାନେଜମେଣ୍ଟ ନିଷ୍ପତ୍ତି ଓ ଯୋଜନା ଅନୁଯାୟୀ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଇନିଂସ ଓପନିଂ କରିବେ । ଏହା ସହିତ ଶୁବମନ ଗିଲଙ୍କୁ ମଧ୍ୟମ କ୍ରମରେ ବ୍ୟାଟିଂ କରିବା ସୁଯୋଗ ଦିଆଯିବ । ଅବଶ୍ୟ ଗିଲଙ୍କ ପାଇଁ ଏହା ଏକ ବଡ ସୁଯୋଗ । କାରଣ ପୁରୁଖା ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ସହିତ ଗିଲ୍‌ ମିଡିଲ ଅର୍ଡର ବ୍ୟାଟିଂ ସମ୍ଭାଳିବାକୁ ପଡିବ । କାରଣ ଅନ୍ୟତମ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଏହି ମ୍ୟାଚ ଖେଳିବା ପାଇଁ ଦଳରେ ସ୍ଥାନ ପାଇ ନାହାନ୍ତି । ତେଣୁ ଭାରତୀୟ ଦଳର ଏହି ବ୍ୟାଟର ମାନେ ନ୍ୟୁଜିଲାଣ୍ଡ ବୋଲିଂକୁ କିପରି ମୁକାବିଲା କରିବେ ତାହା ଅପେକ୍ଷାର ବିଷୟ ।

ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ଭାରତ ବିପକ୍ଷ ଟି-୨୦ ସିରିଜ ଖେଳି ନ ଥିବା ବେଳେ ତାଙ୍କ ସ୍ଥାନରେ ଭେଟେରାନ ପେସ୍‌ ବୋଲର ଟିମ୍‌ ସାଉଦି ଦଳର ନେତୃତ୍ୱ ନେଇଥିଲେ । ତେବେ ଟେଷ୍ଟ ସିରିଜ ପାଇଁ ଦଳକୁ ଫେରିଛନ୍ତି । ଅବଶ୍ୟ ଭାରତୀୟ ବ୍ୟାଟରଙ୍କ ପାଇଁ ଏତିକି ଆଶ୍ୱାସନାର ବିଷୟ ହେଲା ଯେ ନ୍ୟୁଜିଲାଣ୍ଡ ଦଳର ପ୍ରମୁଖ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ଟେଷ୍ଟ ସିରିଜ ଖେଳିବେ ନାହିଁ । ଅନ୍ୟ ପକ୍ଷରେ ବିରାଟ କୋହଲି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ ହେବେ । ମାତ୍ର ପ୍ରଥମ ଟେଷ୍ଟରେ ରାହାଣେ କିପରି ନ୍ୟୁଜିଲାଣ୍ଡ ଚାଲେଞ୍ଜକୁ ମୁକାବିଲା କରିବେ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.