fbpx

ସୁପ୍ରିମକୋର୍ଟରେ ୯ ନୂଆ ବିଚାରପତିଙ୍କୁ ନିଯୁକ୍ତି, ନବନିଯୁକ୍ତଙ୍କ ମଧ୍ୟରେ ୩ ମହିଳା ବିଚାରପତି

ନୂଆଦିଲ୍ଲୀ, ୨୬ା୮: ଦେଶର ସର୍ବୋଚ୍ଚ ଅଦାଲତକୁ ମିଳିଛି ୯ ନୂଆ ବିଚାରପତି । ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଥିବା ୯ ଜଣ ନାମକୁ ପ୍ରଥମେ କଲେଜିୟମ୍‌ ସୁପାରିସ କରିବା ପରେ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଥିଲେ । ଏହାପରେ ଗୁରୁବାର ସଂନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଉପରେ ମୋହର ଲଗାଇଛନ୍ତି । ଏହି ୯ ଜଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ କିଛି ଦିନ ପୂର୍ବେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି. ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁପାରିସ କରିଥିଲେ । ୨ ଦିନ ମଧ୍ୟରେ ନୂଆ ବିଚାରପତିମାନେ ଶପଥ ପାଠ କରିବେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରଥମଥର ପାଇଁ ଏକକାଳୀନ ୯ ଜଣଙ୍କୁ ସୁପ୍ରିମକୋର୍ଟରକୁ ପଦୋନ୍ନତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟର ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେହିପରି ସୁପ୍ରିମକୋର୍ଟର ବାର୍‌ର ଜଣେ ଆଇନଜୀବୀଙ୍କୁ ବି ପଦୋନ୍ନତି ପାଇଁ ସୁପାରିସ କରାଯାଇଥିଲା ।

ସୁପାରିସ ହୋଇଥିବା ୩ ମହିଳା ଜଜ୍‌ଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରତ୍ନାଙ୍କ ନାମ ରହିଛି । ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବାକୁ ଯାଉଛନ୍ତି । ୨୦୨୭ରେ ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ବରିଷ୍ଠତା ଭିତ୍ତିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥାନ୍ତି । ୨୦୨୭ ବେଳକୁ ବରିଷ୍ଠତା ଦୃଷ୍ଟିକୋଣରୁ ଜଷ୍ଟିସ ନାଗରତ୍ନା ହିଁ ସର୍ବାଗେ ଥିବେ । ତେଣୁ ସେ ହିଁ ଦେଶର ପ୍ରଧାନ ବିଚାରପତି ନିଯୁକ୍ତ ହୋଇ ଭାରତୀୟ ନ୍ୟାୟପାଳିକାରେ ନୂଆ ଅଧ୍ୟାୟ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ । ଏମାନଙ୍କ ବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍‌ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି ।

Get real time updates directly on you device, subscribe now.