ନବବିବାହିତା ବଧୂଙ୍କ ଆତ୍ମହତ୍ୟା: ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ହାରିଲେ ଜୀବନ, ଦେଇଥିଲେ ଭଲଭୋ କାର, ୮୦୦ ଗ୍ରାମ ସୁନା
ଚେନ୍ନାଇ: ତାମିଲନାଡୁର ତିରୁପ୍ପୁରରେ ଜଣେ ୨୭ ବର୍ଷୀୟା ନବବିବାହିତା ମହିଳା ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ରିଧାନ୍ୟା ହେଉଛନ୍ତି ଗାର୍ମେଣ୍ଟ କମ୍ପାନୀ ଚଳାଉଥିବା ଅନ୍ନାଦୁରାଇଙ୍କ ଝିଅ। ଚଳିତ ବର୍ଷ ଏପ୍ରିଲ ମାସରେ ତାଙ୍କର ୨୮ ବର୍ଷୀୟ କବିନକୁମାରଙ୍କ ସହ ବିବାହ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବିବାହ ସମୟରେ ରିଧାନ୍ୟାଙ୍କ ପରିବାର ୧୦୦ ସୋଭରେନ (୮୦୦ ଗ୍ରାମ) ସୁନା ଅଳଙ୍କାର ଏବଂ ୭୦ ଲକ୍ଷ ଟଙ୍କାର ଏକ ଭଲଭୋ କାର ଯୌତୁକ ଭାବେ ଦେଇଥିଲେ।
ରବିବାର ଦିନ ରିଧାନ୍ୟା ମନ୍ଦିରକୁ ଯାଉଛନ୍ତି ବୋଲି ଘରୁ ବାହାରିଥିଲେ। ମୋଣ୍ଡିପାଳୟମ ରାସ୍ତାରେ ସେ ନିଜ କାର ଅଟକାଇ କୀଟନାଶକ ଔଷଧ ସେବନ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏକ କାର ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଧାନ୍ୟାଙ୍କୁ ମୃତ ଅବସ୍ଥାରେ ପାଇଥିଲେ, ତାଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖାଯାଇଥିଲା।
ସୂତ୍ରରୁ ଜଣାପଡ଼ିଛି ଯେ, ରିଧାନ୍ୟା ମରିବା ପୂର୍ବରୁ ତାଙ୍କ ବାପାଙ୍କୁ ସାତୋଟି ହ୍ୱାଟ୍ସଆପ ଅଡିଓ ମେସେଜ ପଠାଇଥିଲେ। ଏହି ମେସେଜଗୁଡ଼ିକରେ ସେ ନିଜର ନିଷ୍ପତ୍ତି ପାଇଁ କ୍ଷମା ମାଗିଥିଲେ ଏବଂ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ସହି ନ ପାରିବାର କଥା କହିଥିଲେ।
ଗୋଟିଏ ମେସେଜରେ ସେ କହିଥିଲେ, “ମୋ ସ୍ୱାମୀ ଓ ଶାଶୂଘର ଲୋକେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି। ମୁଁ ଏହା ସହି ପାରୁନି। ଯେଉଁମାନେ ମୋ କଥା ଶୁଣୁଛନ୍ତି, ସେମାନେ ମୋତେ ଆପୋଷ ସମାଧାନ କରିବାକୁ କହୁଛନ୍ତି, କିନ୍ତୁ ମୋ ଦୁଃଖ ବୁଝି ପାରୁନାହାନ୍ତି।” ସେ ଆହୁରି କହିଥିଲେ, “ମୋ ଆଖପାଖରେ ସମସ୍ତେ ଅଭିନୟ କରୁଛନ୍ତି। ମୁଁ ଏହି ଜୀବନ ଚାହୁଁନି। ସେମାନେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି।”
ସେ ତାଙ୍କ ବାପାଙ୍କୁ କହିଥିଲେ, “ତୁମେ ଓ ମା’ ମୋର ସବୁକିଛି। ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମେ ମୋର ଆଶା ଥିଲ। ମୁଁ ତୁମକୁ ବହୁତ କଷ୍ଟ ଦେଇଛି। ତୁମେ ମୋତେ ଏପରି ଦେଖି କଷ୍ଟ ପାଉଛ। ମୁଁ ତୁମର ଦୁଃଖ ବୁଝୁଛି। ବାପା, ମୁଁ କ୍ଷମା ମାଗୁଛି, ସବୁ ଶେଷ ହେଲା। ମୁଁ ଚାଲିଗଲି।”
ରିଧାନ୍ୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ସରକାରୀ ହସ୍ପିଟାଲକୁ ପଠାଯାଇଛି। ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ବାହାରେ ଏକତ୍ରିତ ହୋଇ ନ୍ୟାୟ ଦାବି କରିଛନ୍ତି।
ପୋଲିସ ଏକ ମାମଲା ରୁଜୁ କରି ରିଧାନ୍ୟାଙ୍କ ସ୍ୱାମୀ କବିନକୁମାର, ଶଶୁର ଈଶ୍ୱରମୂର୍ତ୍ତି ଏବଂ ଶାଶୁ ଚିତ୍ରାଦେବୀଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି।