fbpx

ଆହୁରି ଦୁଇ ଦିନ ନିର୍ଧୁମ ଛେଚିବ ବର୍ଷା: ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ଓଡ଼ିଶାର ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୪ ଦିନ ହେବ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଏଥି ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ, ଉତ୍ତର- ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ମୁହାଁ ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସୂଚନାନୁଯାୟୀ, ୪ଟି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଅନୁଗୋଳ ଓ କେନ୍ଦୁଝର । ୧୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, ଦେବଗଡ଼,ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର ଓ ବଲାଙ୍ଗିର । ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ ପାରାଦୀପ, ପୁରୀ, ଚାନ୍ଦବାଲି, ଧାମରା ଓ ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ ଦିଆଯାଇଛି ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର କୋଷାଗୁମୁଡ଼ାରେ ସର୍ବାଧିକ ୧୬୧ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ଛତ୍ରପୁରରେ ୧୪୨.୨, ନୂଆଗଡ଼ରେ ୧୪୧.୨ ଓ ଭୁବନେଶ୍ୱର ୭୬ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି । ରାଜ୍ୟର ୮ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୪୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.