fbpx

ତାତିରୁ ମିଳବି ତ୍ରାହି: ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରବେଶ କରିବ ମୌସୁମୀ ବାୟୁ, ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଶେଷରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ହେଇ ଆସିବ, ପୁଣି ଆସିବନି ଏପରି ଆଶଙ୍କା ଭିତରେ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀକୁ ଅନାଇ ରହିଥିବା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପରେ ଦୁର୍ବଳ ହୋଇଯାଇଥିଲା । ତେଣୁ ଏହା କେବେ ଓଡ଼ିଶା ଉପକୂଳ ଛୁଇଁବ ତାକୁ ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା । ମୌସୁମୀ ପ୍ରବେଶ ନେଇ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ମତପୋଷଣ କରୁଥିବାରୁ ଜନସାଧାରଣ ସନ୍ଦେହ ଘେରରେ ରହିଥିଲେ । ତେବେ ଏସବୁ ଭିତରେ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରି ଓ କୋରାପୁଟ ଜିଲ୍ଳାକୁ ଛୁଇଁଥିବା ସୂଚନା ଦିଆଯାଇଛି । କୋରାପୁଟରେ ୩ ସେ.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଦ

କ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୫୦%ରୁ ଅଧିକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡ଼ିଶା, ଗୁଜରାଟ, ମଧ୍ୟପ୍ରଦେଶ, ମଧ୍ୟମହାରାଷ୍ଟ୍ର, ତେଲେଙ୍ଗାନା, ଦକ୍ଷିଣ ଛତିଶଗଡ଼ର କିଛି ଅଂଶ, ଆନ୍ଧ୍ର ପ୍ରଦେଶ ଉପକୂଳ, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଛୁଇଁଥିବା ସୂଚନା ଦିଆଯାଇଛି । ତେବେ ଯାଜପୁର ଜିଲ୍ଲାର କୋରେଇରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ମୌସୁମୀ ବାୟୁ ପ୍ରଭାବରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ । ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ହୋଇଥିଲା ।

ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଜୁନ୍‌ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । ସେଦୃଷ୍ଟିରୁ ଯଦି ବିଚାର କରାଯାଏ ଏବର୍ଷ ମୌସୁମୀ ପ୍ରବେଶ କରିବା ବିଳମ୍ବ ହୋଇନାହିଁ । ମୌସୁମୀକୁ ନେଇ ଗତ କିଛି ଦିନ ହେବ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ଜାରି ରହିଥିଲା । ତେବେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ଚାଷୀମାନେ ବେଶ୍‌ ଖୁସି ଅନୁଭବ କରିବା ସହ ଶୀଘ୍ର ଚାଷ କାମ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ଗତ ଅକ୍ଷୟ ତୃତୀୟାରୁ ଚାଷୀମାନେ ବିଲ ହଳ କରି ବିହନ ବୁଣିଥିବାବେଳେ ବର୍ଷା ଉଭାନ ଯୋଗୁଁ ସେମାନେ ହତାଶ ହୋଇପଡ଼ିଥିଲେ । ଏପରିକି ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ୧ରୁ ୧୨ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.