fbpx

ନିର୍ବାଚନି ଉଷ୍ମତା ସହ ବଢ଼ିବ ଅସହ୍ୟ ତାତି: ୧୬ରୁ ବର୍ଷିବ ନିଆଁ, ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୮ଟାରୁ ଖରାର ପ୍ରାଦୁର୍ଭାବ ଅନୁଭୂତ ହେଉଛି । ଏପରିକି ଦିନ ୧୨ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଦୋକାନ ବଜାର ବନ୍ଦ ରହୁଛି । ରାସ୍ତାଘାଟ ମଧ୍ୟ ଖାଁ ଖାଁ ଲାଗୁଛି । ଏପରି ସ୍ଥିତିରେ ଦୁଇଦିନ ପରେ ଅର୍ଥାତ୍‌ ୧୬ ଓ ୧୭ ତାରିଖରେ ଅସମ୍ଭାଳ ତାତି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି କାରଣରୁ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଏହି ଦୁଇଦିନ ପାଇଁ ଜାରି କରାଯାଇଛି । ଏହି ସମୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ପଶ୍ଚିମ- ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ବହୁଥିବାରୁ ଏହାର ପ୍ରଭାବରେ ତାତି ବଢିବ ବୋଲି କୁହାଯାଇଛି । ଏ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି।

ଅନ୍ୟପକ୍ଷରେ ସମ୍ଭାବ୍ୟ ତାତି ଓ ଅଂଶୁଘାତକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଘରୁ ବାହାରିବା ସମୟରେ ଓଦା ଗାମୁଛା ସହ ପାଣି ବୋତଲ ଓ ଛତା ନେବାକୁ କୁହାଯାଇଛି ।

Get real time updates directly on you device, subscribe now.