fbpx

ଓଡ଼ିଶା ଇତିହାସରେ ପ୍ରଥମ: ବିଜେଡି ଦଖଲରେ ୩୦ ଜିଲ୍ଲା ପରିଷଦ, ୭୦ ପ୍ରତିଶତ ମହିଳାଙ୍କ ହାତରେ ଶାସନ ଭାର

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା ଇତିହାସରେ ପ୍ରଥମ ଥରପାଇଁ ଏବଂ ବୋଧ ହୁଏ ସମଗ୍ର ଦେଶରେ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତାଦଳର ଏହା ଏକ ଐତିହାସିକ ବିଜୟ ଓ ଶକ୍ତିଶାଳୀ ଭୋଟରଙ୍କ ଅପାର ବିଶ୍ୱାସର ଫଳ ବୋଲି କୁହାଯାଉଛି । ଏକ ପ୍ରମୁଖ ନିଷ୍ପ ତ୍ତିକ୍ରମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଖିତ ଯୁବକ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ କରିଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲାପରିଷଦ ସଭାପତି ଭାବେ ମାତ୍ର ୨୩ ବର୍ଷ ବୟସ୍କା ସରସ୍ୱତୀ ମାଝୀ ମନୋନୀତ ହୋଇଛନ୍ତି । ବିଏସ୍‌ସିରେ ସ୍ନାତକ ହାସଲ କରିଥିବା ଏହି ଶିକ୍ଷିତା ଯୁବତୀ ରାୟଗଡ଼ା ଜିଲ୍ଲାର ବିକାଶ କାର୍ଯ୍ୟର ଦାୟିତ୍ୱ ନେବେ । ସେହିରି ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲାପରିଷଦ ସଭାପତି ଭାବେ ସ୍ୱାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲୁଙ୍କୁ ମନୋନୀତ କରିଛନ୍ତି । ୨୬ବର୍ଷ ବୟସର ଏହି ଯୁବତୀ ଯୁକ୍ତଦୁଇ କଳା ପାସ୍‌ କରିଛନ୍ତି ।

୩୦ଟି ଜିଲ୍ଲା ମଧ୍ୟରୁ ୧୫ଟିରେ ୪୦ବର୍ଷରୁ କମ୍‌ ବୟସର ଜିଲ୍ଲା ସଭାପତି ଆସନ ଅଳଙ୍କୃତ କରିଛନ୍ତି । ୨୩ଟିରେ ୫୦ ବର୍ଷରୁ କମ୍‌ ବୟସର ଜିଲ୍ଲା ସଭାପତିଆସନ ପାଇଁ ମନୋନୀତ ହୋଇଛନ୍ତି । ୧୮ଟି ଜିଲ୍ଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସତର୍କତାର ସହିତ ଜିଲ୍ଲାଗୁଡ଼ିକରେ ଉତ୍ତମ ଲୋକସମ୍ପର୍କ ଥିବା ଏବଂ କୌଣସି ଅପରାଧିକ ମାମଲା ନଥିବା ଜିଲ୍ଲାର ଶିକ୍ଷିତ ପ୍ରାର୍ଥୀମାନଙ୍କୁ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ୱ ପ୍ରଦାନ କରିଛନ୍ତି । ଯଦିଓ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଛି, ତେବେ ମହିଳା ନେତୃତ୍ୱ ଉପରେ ବିଶ୍ୱାସ ସହ ମହିଳା ସଶକ୍ତିକରଣ ପାଇଁ ଶ୍ରୀ ପଟ୍ଟନାୟକ ୨୧ଜଣ ମହିଳାଙ୍କୁ ଜିଲ୍ଲାପରିଷଦ ସଭାପତି ଭାବେ ମନୋନୀତ କରିଛନ୍ତି, ଯାହାକି ମୋଟ ସଂରକ୍ଷଣର ୭୦ ପ୍ରତିଶତ ଅଟେ । ପ୍ରଥମ ଥରପାଇଁ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀର୍ଷସ୍ଥାନକୁ ଯାଇଛନ୍ତି, ଯାହା ବୋଧହୁଏ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇନାହିଁ । ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ)ରେ ମହିଳାମାନେ ଜିଲ୍ଲା ପରିଷଦ ସଭାପତି ଆସନରେ ବସିଛନ୍ତି । ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଓବିସି ପ୍ରାର୍ଥୀ ଜିଲ୍ଲା ପରିଷଦର ସଭାପତି ହୋଇଛନ୍ତି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଏଥିରୁ ପ୍ରମାଣିତ ହୋଇଛି ।

ରାଜ୍ୟର ସମସ୍ତ ୩୦ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରି ବିଜେଡି ଐତିହାସିକ ବିଜୟ ହାସଲ କରିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୮୫୨ ଆସନରୁ ଏକାକୀ ୭୬୬ ଆସନରେ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୩୭ ଓ ବିଜେପି ୪୨ ଆସନରେ ବିଜୟଲାଭ କରିଥିଲା । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇ ନେବାରେ ସମର୍ଥ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଯୋଗୁ ବିଜେଡି ଏହି ସଫଳତା ପାଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ଦଖଲ କରିଥିବାବେଳେ ବାଲେଶ୍ୱରରେ ନାରାୟଣ ପ୍ରଧାନ, ବଲାଙ୍ଗୀରରେ ଦେବକୀ ସାହୁ, ବରଗଡ଼ରେ ମାନିନୀ ଭୋଇ, ଭଦ୍ରକରେ ପ୍ରଫୁଲ୍ଲ ଜେନା, ବୌଦ୍ଧରେ ପ୍ରଭାସିନୀ ଦାସ, କଟକରେ କିଶୋର ଚନ୍ଦ୍ର ମିଶ୍ର, ଦେବଗଡ଼ରେ କୌଶିକ କୁମାର ପ୍ରଧାନ, ଢେଙ୍କାନାଳରେ ଅର୍ଚ୍ଚନା ପୁହାଣ, ଗଜପତିରେ ଜି.ତିରୁତି ରାୟ, ଗଞ୍ଜାମରେ ଅଞ୍ଜଳି ସ୍ୱାଇଁ, ଯାଜପୁରରେ ନଳିନୀପ୍ରଭା ଜେନା, ଜଗତସିଂହପୁରରେ ମନୋଜ କୁମାର ଭୋଇ, ଝାରସୁଗୁଡ଼ାରେ କୁଳାବତୀ ମିଞ୍ଜ, କନ୍ଧମାଳରେ ନନ୍ଦିନୀ ମଲ୍ଲିକ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କେନ୍ଦୁଝରରେ ସାଗରିକା ସାହୁ, କେନ୍ଦ୍ରାପଡ଼ାରେ ଗୀତାଞ୍ଜଳି ସେଠୀ, କୋରାପୁଟରେ ସସ୍ମିତା ମେଲେକା, ଖୋର୍ଦ୍ଧାରେ ରୂପଶ୍ରୀରାଣୀ ଗୁମାନସିଂ, ମାଲକାନଗିରିରେ ସମାରୀ ରାଙ୍ଗୁଲୁ, ମୟୂରଭଞ୍ଜରେ ଭାରତୀ ହାଁସଦା, ନବରଙ୍ଗପୁରରେ ମୋତିରାମ ନାଏକ, ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ, ନୂଆପଡ଼ାରେ ଡଲି ମାଝୀ, ପୁରୀରେ ସ୍ୱପ୍ନାରାଣୀ ସ୍ୱାଇଁ, ରାୟଗଡ଼ାରେ ସରସ୍ୱତୀ ମାଝୀ, ସମ୍ବଲପୁରରେ କୁମୁଦିନୀ ନାୟକ, ସୁବର୍ଣ୍ଣୁରରେ ସୁାର ଠେଲା ଓ ସୁନ୍ଦରଗଡ଼ରେ କୁନ୍ତି ପ୍ରଧାନ ଅଧ୍ୟକ୍ଷ ଆସନ ହାସଲ କରିଥିବା ସୂଚନା ମିଳିଛି ।

ଗତଥର ଯେଉଁ ଜିଲ୍ଲାପରିଷଦ ଗୁଡ଼ିକରେ ବିଜେଡି ମାତ୍‌ ଖାଇଥିଲା ସେସବୁ ସ୍ଥାନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ହାତେଇଛି । ଏପରିକି ବିରୋଧୀଙ୍କ ଠାରୁ ବିୁଳ ବ୍ୟବଧାନରେ ବିଜୟ ହାସଲ କରିଛି । ଗତଥର ବିଜେପି ୨୯୪ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚଳିତ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି ।

Get real time updates directly on you device, subscribe now.