fbpx
BJD SKY
BJD SKY

ଆସନ୍ତା ୩ ଦିନ ଯାଏଁ ତାତିରୁ ମିଳିବନି ମୁକ୍ତି, ଜନଜୀବନକୁ ଅସ୍ତବ୍ୟସ୍ତ କରିବ ପ୍ରଚଣ୍ଡ ଖରା: ହିଟ୍‌ୱେଭ୍‌ ନେଇ ୫ ଜିଲ୍ଲା ପାଇଁ ଆଇଏମ୍‌ଡିର ୟେଲୋ ୱାର୍ଣ୍ଣିଂ

ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍‌ଆର୍‌ସି

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ଜଳୁଛି ରାଜଧାନୀ ଭୁବନେଶ୍ୱର । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଖରାରେ ଘରୁ ବାହାରିବାକୁ ଭୟ କରୁଛନ୍ତି ରାଜଧାନୀବାସୀ । ତତଲା କଡ଼େଇରେ ସିଝୁଛି ଭୁବନେଶ୍ୱର । ଗତ ୧୦ ବର୍ଷ ଭିତରେ ଅପ୍ରେଲ ମାସରେ ଏଭଳି ତାତି ରାଜଧାନୀବାସୀଙ୍କ ପାଇଁ କାଳ ପାଲଟିଛି । ସତେ ଯେପରି ଆକାଶରୁ ଅଗ୍ନିବର୍ଷା ହେଉଛି । କେବଳ ରାଜଧାନୀ ନୁହେଁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ଥିତି ସଂଗୀନ ରୂପ ଧାରଣ କରିଛି । ସାରା ରାଜ୍ୟରେ ଅସହ୍ୟ ଗରମ ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଏନେଇ ଆଇଏମ୍‌ଡି ପକ୍ଷରୁ ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଓ କଳାହାଣ୍ଡି ।

ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଉପକୂଳରେ ତାତିର ପ୍ରଭାବ କମ୍‌ ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ସାଂଘାତିକ ରୂପ ଧାରଣ କରିଥିଲା । ତେବେ ଏବେ ଉଭୟ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଛି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

୨୦୧୬ ଏପ୍ରିଲ ୧୧ରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫.୮ ଡିଗ୍ରୀ ରହିଥିବା ବେଳେ ୨୦୧୯ ଏପ୍ରିଲ ୧୬ରେ ଏହା ୪୩.୭ ଡିଗ୍ରୀ ଛୁଇଁଥିଲା । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚରେ ସ୍ୱାଭାବିକ ଠାରୁ ୯୬ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ତାତିର ପ୍ରଭାବ ବୃଦ୍ଧି ପାଇଛି। ସେହିପରି ଅଧିକ ପରିମାଣର କାଳବୈଶାଖୀ ହେଉନଥିବାରୁ ତାପମାତ୍ରାରେ ବୃଦ୍ଧି ଘଟୁଛି ।

ଆସନ୍ତା ୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଭିତରେ ରହିବାକୁ ଥିବାବେଳେ ଆଭ୍ୟନ୍ତର ଓଡ଼ିଶାରେ ୪୩ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତା ସପ୍ତାହେ ଯାଏଁ ଏଭଳି ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବାପରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟା ଠାରୁ ଅପରାହ୍ଣ ସାଢ଼େ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାର ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ସୋମବାରଠୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସତର୍କତା ଜାରି କରାଯାଇଛି । ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଓ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଓ କଳାହାଣ୍ଡି ପାଇଁ ହିଟ୍‌ୱେଭ୍‌ ସତର୍କତା ଜାରି କରାଯାଇଛି ।

Get real time updates directly on you device, subscribe now.