fbpx

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହେବ : ଆଜିଠୁ ୧୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଜନଜୀବନ ପ୍ରଭାବିତ ହୋଇଛି । ବହୁ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ହେବା ସହ ବ୍ୟାପକ ଚାଷଜମି ଜଳ ପ୍ଲାବିତ ହୋଇଛି । କେତେକ ନଦୀରେ ବନ୍ୟାଜଳ ବିଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ୁଛି । ବହୁ ଲୋକ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏତେସବୁ ପରେ ବି ବର୍ଷା ଥମିବାର ନାଁ ନେଉନଥିବାବେଳେ ଭାରତୀୟ ପାଣିାଗବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି ।

ଆଇଏମ୍‌ଡି ବିଶେଷଜ୍ଞ ଆର୍‌.କେ.ଜେନାମଣୀ ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ସୃଷ୍ଟି ହେଲେ ୨୪ ଘଣ୍ଟାରେ ଘନୀଭୂତ ହୋଇ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୪ରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ୧୫ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ସେହିପରି ୧୯ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବାର ତାହାର ପ୍ରଭାବରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ଶ୍ରୀ ଜେନାମଣୀ ସୂଚନା ଦେଇଛନ୍ତି । ଏପରିକି ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ଜେନାମଣୀ ସତର୍କ କରାଇ ଦେଇଛନ୍ତି । ଏନେଇ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ଲାଗି ରହିଥିବା ବର୍ଷା ଫଳରେ ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ବାଲେଶ୍ୱର, କେନ୍ଦୁଝର ଇତ୍ୟାଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜୀବନ ବିନ୍ନ ହୋଇପଡ଼ିଛି । ଲୋକଙ୍କ ଘରେ ପାଣି ଓ ରାସ୍ତାରେ ବି ପାଣି । କେଉଁଠି ପୋଲ ଭାଙ୍ଗିଗଲାଣି ତ ଆଉ କେଉଁଠି ଅସ୍ଥାୟୀ ପୋଲ ଭାସିଗଲାଣି । ଏପରିକି ଯାତାୟାତ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିଲାଣି । ଅନ୍ୟପକ୍ଷରେ ହେକ୍ଟର ହେକ୍ଟର ଚାଷଜମି ଜଳପ୍ଲାବିତ ହୋଇଥିବାରୁ ଫସଲ ହାନୀ ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । କେବେ ବର୍ଷା କମିବ ଓ ଜୀବନଯାତ୍ରା ପୁଣି ଥରେ ସ୍ୱାଭାବିକ ହେବ ତାକୁ ହିଁ ଅପେକ୍ଷା ।

Get real time updates directly on you device, subscribe now.