fbpx

ନିର୍ଭୟା ମାମଲା, ଫାଶି ପାଇଁ ଡ଼େଥ୍ ୱାରେଣ୍ଟ ଆବେଦନ

ନୂଆଦିଲ୍ଲୀ, ୪ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦେବା ପାଇଁ ଡ଼େଥ୍ ୱାରେଣ୍ଟ ଜାରି କରିବା ପାଇଁ ଆବେଦନ ହୋଇଛି । ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ୍ ବିଭାଗ ଏହି ଆବେଦନ କରିଛି । ପବନର ରାଜକ୍ଷମା ଖାରଜ ହେବା ପରେ ଡ଼େଥ ୱାରେଣ୍ଟ ଜାରି କରିବା ପାଇଁ ଅପିଲ ହୋଇଛି ।

ଆଜି ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଥିଲା । ରାଜକ୍ଷମା ଆବେଦନ ଖାରଜ କରିିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୂଚନାଯୋଗ୍ୟ ଯେ ଗତ ୨ତାରିଖ ଦିନ ରାଷ୍ଟ୍ରପତିଙ୍କ ନିକଟରେ ପବନର ଓକିଲ ରାଜକ୍ଷମା ପାଇଁ ଆବେଦନ କରିଥିଲେ । ସେହିପରି ୨ତାରିଖ ଦିନ ପବନର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ କରିଥିଲେ ସୁପ୍ରିମକୋର୍ଟ । ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶି ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ଗତକାଲି ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଲାଣି ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ଗତକାଲି ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଫାଶି ଆଳରୁ ବଞ୍ଚିବା ପାଇଁ ଚାରି ଦୋଷୀ ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ମଧ୍ୟ ଆବେଦନ କରୁଥିଲେ ।

Get real time updates directly on you device, subscribe now.