fbpx

NISER ବୈଜ୍ଞାନିକଙ୍କ ବଡ଼ ସଫଳତା: ଓଡ଼ିଶାରୁ ଚିହ୍ନଟ ହେଲା ଏକ ନୂଆ ପ୍ରଜାତିର ବୁଢ଼ିଆଣୀ, ଭାରତରେ ପ୍ରଥମ ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ମଣିଷ ସହିତ ବୃକ୍ଷଲତା, ଜୀବଜନ୍ତୁଙ୍କୁ ନେଇ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି । ଅନେକ ସମୟରେ କିଛି ନୂଆ ତଥ୍ୟ ଲୋକଲୋଚନକୁ ଆସିବା ସହିତ କିଛି ନୂଆ ଜୀବଙ୍କର ମଧ୍ୟ ସନ୍ଧାନ ମିଳିଥାଏ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।

ସୂଚନା ମୁତାବକା ନାଇଜର କ୍ୟାମ୍ପସ ମଧ୍ୟରୁ ଗବେଷକମାନେ ଏକ ନୂଆ ପ୍ରଜାତିର ବୁଢ଼ିଆଣୀ ଚିହ୍ନଟ କରିଛନ୍ତି । ତେବେ ଦେଶ ସ୍ୱାଧିନ ହେବା ପରେ ପ୍ରଥମ ଥର ପାଇଁ ଏଭଳି ଜେନେଟିକ୍ ସାମଞ୍ଜସ୍ୟ ଥିବା ବୁଢ଼ିଆଣୀକୁ ଆବିଷ୍କାର କରାଯାଇଥିବା ବୈଜ୍ଞାନିକମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହାକୁ ନାଇଜର କ୍ୟାମ୍ପସ ମଧ୍ୟରୁ ଚିହ୍ନଟ କରାଯାଇଥିବାରୁ ଏହାର ନାମ ‘ସାଇଲର ନାଇଜର’ ରଖାଯାଇଛି । ସାଧାରଣ ଭାବେ ଜଙ୍ଗଲ, ବନାଞ୍ଚଳମାନଙ୍କରେ ଏପରି ପ୍ରଜାତିର ବୁଢ଼ିଆଣୀ ଠାବ ହୋଇଥାନ୍ତି । ମାତ୍ର ନିକଟରେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ତେବେ ବୈଜ୍ଞାନିକମାନେ ନୂଆ ପ୍ରଜାତିର ବୁଢ଼ିଆଣୀ ଚିହ୍ନଟ କରିବା ଦେଶ ତଥା ରାଜ୍ୟର ଉକ୍ରୃଷ୍ଟ ଜୈବବିବିଧତାକୁ ଦର୍ଶାଉଛି । ନାଇଜର ଭୁବନେଶ୍ୱରର ବାୟୋଲୋଜିକାଲ ସାଇନ୍ସର ରିଡର ଡକ୍ଟର ଅନିରୁଦ୍ଧ ଦତ୍ତ ରଏ ଓ ଏମଏସସି ଛାତ୍ର ଆୟୁଷ ପରାଗ ଏହି ଆବିଷ୍କାର କରିଥିବା ଜଣାପଡ଼ିଛି । କ୍ୟାମ୍ପସ ମଧ୍ୟରେ ଥିବା ବଣବୁଦା ଭିତରୁ ଏହି ନୂଆ ବୁଢ଼ିଆଣୀକୁ ସେମାନେ ଠାବ କରିଥିଲେ । ସାଇନ୍ସ ପତ୍ରିକା ପେନସଫ୍ଟରେ ଏହି ରିପୋର୍ଟ ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ଭାରତରେ ଏଭଳି ପ୍ରଜାତି ଚିହ୍ନଟ ହୋଇଛି । ତେବେ ବିଶ୍ୱରେ ଅନେକ ପ୍ରକାରର କୀଟପତଙ୍ଗ ଆବିଷ୍କାର ହେଉଥିବା ବେଳେ ସାଇଲର ନାଇଜର ବୁଢ଼ିଆଣୀଠାରେ ଅନେକ ସ୍ୱତନ୍ତ୍ରତା ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ।

Get real time updates directly on you device, subscribe now.