fbpx

୨୦୨୪ ନିର୍ବାଚନକୁ ନେଇ ନୀତିଶଙ୍କ ବଡ଼ ଘୋଷଣା: କ୍ଷମତାକୁ ଆସିଲେ ସମସ୍ତ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଲଢ଼େଇ ପାଇଁ ବର୍ତ୍ତମାନ ଭାରତବର୍ଷରେ ବିଗୁଲ ବାଜି ସାରିଛି । ଶାସକ ଏନଡିଏ ଓ ବିପକ୍ଷ ମହାମେଣ୍ଟ ଏନେଇ ନିଜ ନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଲେଣି । ବିଜେପି ବିଭିନ୍ନ ରାଜ୍ୟରେ ନୂଆ ମୁଖିଆ ଓ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେବା ସହ ଅଣବିଜେପି ରାଜ୍ୟ ଉପରେ ଏଥର ଫୋକସ୍ କରିଛି । ଅନ୍ୟପକ୍ଷରେ ବିରୋଧୀ ମଧ୍ୟ ଏହି ରେସରେ ପଛରେ ପଡ଼ିନାହାନ୍ତି ।

ବିପକ୍ଷ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମୁଖ୍ୟ ଦାବିଦାର କୁହାଯାଉଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ନିର୍ବାଚନରେ ବିପକ୍ଷ ମହାମେଣ୍ଟ ଯଦି କ୍ଷମତାକୁ ଆସେ ତେବେ ପଛୁଆ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରାଯିବ ବୋଲି ନୀତିଶ ଘୋଷଣା କରିଛନ୍ତି । ନୀତିଶ କହିଛନ୍ତି, ଆମେ ଯଦି କେନ୍ଦ୍ରରେ ସରକାର ଗଠନ କରୁ ତେବ ସମସ୍ତ ପଛୁଆ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ୟ ପାହ୍ୟା ମାନ୍ୟତା ମିଳିବ । ଏହା ନ ହେବା ପଛରେ କୌଣସି କାରଣ ନାହିଁ ।

ବର୍ତ୍ତମାନ ଭାରତବର୍ଷର ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପାହ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ସେହି ରାଜ୍ୟଗୁଡ଼ିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଉତ୍ତରାଖଣ୍ଡ । ଓଡ଼ିଶା ପରି ଅନ୍ୟ କିଛି ରାଜ୍ୟ ସ୍ୱତନ୍ତ୍ର ପାହ୍ୟ ମାନ୍ୟତା ନିମନ୍ତେ କିଛି ବର୍ଷ ହେଲା ଦାବି କରି ଆସୁଛନ୍ତି ।

ନିକଟରେ ନୀତିଶ ଜେଡିୟୁ-ଏନଡିଏ ମେଣ୍ଟରୁ ଓହରି ଆସି ଆରଜେଡି ସହ ମିଶି ବିହାରରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ମଧ୍ୟରେ ନୀତିଶ କିଛି ଜାତୀୟସ୍ତରର ହେଭିୱେଟଙ୍କୁ ସାକ୍ଷାତ କରିସାରିଛନ୍ତି । ଏହି କ୍ରମରେ ୨୦୨୪ରେ ମୋଦୀଙ୍କ ମୁକାବିଲା ପାଇଁ ବିରୋଧୀ ପକ୍ଷର ମହାରଥୀଙ୍କ ତାଲିକାରେ ନୀତିଶ ନିଜକୁ ସାମିଲ କରିପାରିଛନ୍ତି । ପୂର୍ବରୁ ମୋଦୀଙ୍କ ଟକ୍କର ଦେବାକୁ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତୁତ ହୋଇ ରହିଛନ୍ତି ।

Get real time updates directly on you device, subscribe now.