fbpx

କରୋନା କାଳରେ ୪ କୋଟି ବରିଷ୍ଠ ନାଗରିକଙ୍କ ଠାରୁ ପୂରା ଟଙ୍କା ଆଦାୟ କରିଛି ଭାରତୀୟ ରେଳବାଇ, ମିଳିନି କୌଣସି ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଦେଶର ଅର୍ଥବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଥିଲା । ଲକଡାଉନ୍ ପରେ ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ମହାମାରୀ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ଜୀବନ ହାରିବା ସହିତ ଲୋକଙ୍କ ଜୀବନ ଜୀବିକା ବେହଲ ହୋଇପଡ଼ିଥିଲା । ଏହି ସମୟରେ ପ୍ରାପ୍ତ ବୟସର ବ୍ୟକ୍ତି ମାନଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଇଥିଲା । କିନ୍ତୁ ଭାରତୀୟ ରେଳବାଇର କିଛି ଅଲଗା ହିଁ ରଙ୍ଗରୂପ ଦେଖିବାକୁ ମିଳିଛି । ଆରଟିଆଇ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଏହା ସାମନାକୁ ଆସିଛି ।

ଆରଟିଆଇ ଜରିଆରେ ଜଣାପଡ଼ିଛି ଯେ, ପ୍ରାପ୍ତ ବୟସର ଲୋକମାନଙ୍କ ଠାରୁ ଭାରତୀୟ ରେଳବାଇ ପୂରା ଭଡ଼ା ନେଇଛନ୍ତି । କୌଣସି ପ୍ରକାର ରିହାତି ଦେଇନାହାନ୍ତି । ବୃଦ୍ଧ-ବୃଦ୍ଧା ମାନଙ୍କୁ ମିଳୁଥିବା ରିହାତିକୁ ସେ ସମ୍ପୂର୍ଣ୍ଣ ଭାବରେ ନିଲମ୍ବିତ କରିଛନ୍ତି । କରୋନା କାଳରେ ୨୦୨୦ ରେ ପୂରା ଦେଶରେ ଲକଡାଉନ୍ ଲାଗୁ ହୋଇଥିଲା । ଏହାପରେ ଭାରତୀୟ ରେଳବାଇ ସୁବିଧାକୁ ମଧ୍ୟ ରୋକିଦିଆଯାଇଥିଲା । ମହାମାରୀରେ ସୁଧାର ଆସିବା ପରେ ହିଁ ଯାତ୍ରା ଆରମ୍ଭ କରାଯାଇଥିଲା । ଏହି ସମୟରେ ସବୁଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି ସିନିୟର୍ ସିଟିଜେନ୍ ମାନେ ।

ପ୍ରାୟ ୪ କୋଟି ସିନିୟର୍ ସିଟିଜେନ୍ ଙ୍କ ପାଖରୁ ପୂରା ଟଙ୍କା ନେଇଛି ଭାରତୀୟ ରେଳବାଇ । ମଧ୍ୟପ୍ରଦେଶରେ ରହୁଥିବା ଚନ୍ଦଶେଖର ଗୌଡଙ୍କ ଦ୍ୱାରା ଦାୟର୍ କରାଯାଇଥିବା ଏକ ଆରଟିଆଇ ଜବାବରେ ରେଳବାଇ କହିଛି ଯେ, ମାର୍ଚ୍ଚ ୨୨, ୨୦୨୦ରୁ ସେପ୍ଟେମ୍ବର ୨୦୨୧ ମଧ୍ୟରେ ୩୭ କୋଟି ୮ ଲକ୍ଷ ୫୦ହଜାରରୁ ଅଧିକ ବରିଷ୍ଠ ନାଗରିକ ଟ୍ରେନ୍ ରେ ଯାତ୍ରା କରିଛନ୍ତି ।

ଭାରତୀୟ ରେଳବାଇରେ ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ରିହାତି ସମ୍ପର୍କରେ କହିବାକୁ ଗଲେ, ମହିଳାମାନେ ୫୦ ପ୍ରତିଶତ ରିହାତି ପାଉଥିବାବେଳେ ପୁରୁଷମାନେ ୪୦ ପ୍ରତିଶତ ରିହାତି ପାଇବା କଥା । ଏଥିପାଇଁ ମହିଳାମାନଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୫୮ ବର୍ଷ ହୋଇଥିବାବେଳେ ପୁରୁଷମାନଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୬୦ ବର୍ଷ ଅଟେ । ଟ୍ରେନ୍ ଚଳାଚଳ ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଲା, କିନ୍ତୁ ରେଳବାଇ ଦ୍ୱାରା ରିହାତି ହ୍ରାସ ଜାରି ରହିଛି।

ରେଳବାଇ ଦ୍ୱାରା ଦିଆଯାଇଥିବା ରିହାତି ସ୍ଥଗିତ ହେତୁ ବରିଷ୍ଠ ନାଗରିକ ମାନେ ଅଧିକ କ୍ଷତି ସହିଛନ୍ତି। ଯେଉଁ ଯାତ୍ରୀଙ୍କ ପାଖରେ ଅର୍ଥାଭାବ ରହିଛି ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ଏହି ରିହାତି ଖୁବ୍ ଭଲ ସହାୟତା କରିଛି । ହେଲେ ଭାରତୀୟ ରେଳବାଇ ପକ୍ଷରୁ କରୋନା ସମୟରେ ଏହି ରିହାତି ଦିଆଯାଇନାହିଁ । ଓଲଟା ବରିଷ୍ଠ ନାଗରିକମାନଙ୍କ ଠାରୁ ପୂରା ଟଙ୍କା ଆଦାୟ କରିଛି ରେଳବାଇ ।

Get real time updates directly on you device, subscribe now.