fbpx

TMC ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଆଉ ତାରିଖ ବଢାଯିବ ନାହିଁ ; ଏଥିକ୍ସ କମିଟି

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ପଛ ଛାଡି ଯାଉନି ବିବାଦ । ନିକଟରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ସେ ଅନେକ ସମାଲୋଚନାର ଶିକାର ହୋଇଥିଲେ । ସେହିପରି ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ମଧ୍ୟ ଛନ୍ଦି ହୋଇ ରହିଛନ୍ତି ସାଂସଦ ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଜୟ ଅନନ୍ତ ଦେହାରାଇଙ୍କ ଅଭିଯୋଗ କ୍ରମେ ମହୁଆ ଅଡୁଆରେ ପଡିଛନ୍ତି । ତେବେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ଲୋକସଭାର ଏଥିକ୍ସ ବା ନୈତିକତା କମିଟି ତଦନ୍ତ ଜାରି କରିଛି ।

ଏହି ମାମଲାକୁ ନେଇ ଅକ୍ଟୋବର ୩୧ରେ ହାଜର ହେବାକୁ ମହୁଆଙ୍କୁ ଏଥିକ୍ସ କମିଟି ପକ୍ଷରୁ ସମନ ଜାରି କରାଯାଇଥିଲା । ମାତ୍ର ହାଜର ହେବାକୁ କମିଟିଙ୍କୁ ଅଧିକ ସମୟ ମାଗିଥିଲେ ସାଂସଦ ମହୁଆ । ନିଜ ନିର୍ବାଚନମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଯୋଗୁଁ ସେ ନଭେମ୍ବର ୪ ପୂର୍ବରୁ ଦିଲ୍ଲୀ ଆସିପାରିବେ ନାହିଁ, ତେଣୁ ନଭେମ୍ବର ୫ ପରେ ଯେକୌଣସି ସମୟରେ କମିଟି ସମ୍ମୁଖରେ ହାଜର ହେବା ପାଇଁ ସେ ସମୟ ମାଗିଥିଲେ। ଏନେଇ ସେ ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ । ତେବେ ମହୁଆଙ୍କ ଅନୁରୋଧ କ୍ରମେ ଏଥିକ୍ସ କମିଟି ତାଙ୍କୁ ଅକ୍ଟୋବର ୩୧ ପରିବର୍ତ୍ତେ ନଭେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ ହାଜର ହୋଇ ତାଙ୍କ ସପକ୍ଷରେ ତଥ୍ୟ ଉପସ୍ଥାପନ କରିବାକୁ କହିଛି। ହେଲେ ଏହା ପରେ ଆଉ ତାରିଖ ବଢାଯିବ ନାହିଁ ବୋଲି କମିଟି ଏଥିରେ ସ୍ପଷ୍ଟ କରି କହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.